ଗୁଡ୍ ନ୍ୟୁଜ୍: ଅଗଷ୍ଟ ସୁଦ୍ଧା କୋଭାକ୍ସିନକୁ ମିଳିପାରେ ହୁ’ର ମାନ୍ୟତା

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଖୁବଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ଜରୁରୀକାଳୀନ ବ୍ୟବହାର ପାଇଁ ମାନ୍ୟତା ଦେବ। ଏ ନେଇ ହୁ’ରେ କାର୍ଯ୍ୟରତ ବୈଜ୍ଞାନିକ ଡକ୍ଚର ସୌମ୍ୟା ସ୍ୱାମୀନାଥନ ଏହି ସୂଚନା ଦେଇଛନ୍ତି। କୋଭାକ୍ସିନ ଏବେ ସମସ୍ତ ତଥ୍ୟ ହୁ’ର ପୋର୍ଟାଲରେ ଅପଲୋଡ କରୁଛି ବୋଲି ସେ କହିଛନ୍ତି।
ହୁ’ ଏହାକୁ ଅନୁମତି ଦେବା ପରେ କୋଭାକ୍ସିନ ଅନ୍ୟ ଦେଶକୁ ସିଧାସଳଖ ଟିକା ବିକ୍ରି କରିବାରେ କୌଣସି ଅସୁବିଧା ରହିବନି। ଏଥିସହ ଅନ୍ୟ ଦେଶକୁ ଯିବା ପାଇଁ ଯେଉଁ ଗ୍ରୀନ ପାସ ଆବଶ୍ୟକ ହେଉଛି ତାହା ଖୁବ ଶୀଘ୍ର ମିଳିପାରିବ।
ଭାରତ ଏହି ଟିକାକୁ ଜରୁରାକାଳୀନ ଟିକା ଭାବରେ ଅନୁମତି ଦେଇଛି। ହାଇଦ୍ରାବାଦର ଭାରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବରେ ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ କରିଛନ୍ତି। ନିକଟରେ କୋଭାକ୍ସିନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଦାଖଲ କରିଥିଲା ଯେଉଁଥିରେ ସଫଳତା ହାର 77.8 ପ୍ରତିଶତ ରହିଛି। ହେଲେ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହାର ସଫଳତା ହାର 93 ପ୍ରତିଶତ ରହିଛି।