ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 9

0
47

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋଭିଡର ନୂଆ ଭ୍ୟାରିଆଂଟ ଓମିକ୍ରନ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା 9। ନୂଆ ଆକ୍ରାନ୍ତଙ୍କ ଜଣଙ୍କ କେନ୍ଦୁଝର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି। ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ (ଆଇଏଲ୍ଏସ୍) ଏହି ସୂଚନା ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଓମିକ୍ରନ୍ ସଂକ୍ରମିତ ଜଣଙ୍କ ଡିସେମ୍ବର 16ରେ ଦୁବାଇରୁ ଆସିଥିଲେ। କୋଲକାତାକୁ ବିମାନରେ ଆସିବା ପରେ ସେ ଟ୍ରେନରେ ନିଜ ଗାଁକୁ ଫେରିଥିଲେ। ତେବେ ସେ ଘର ପହଂଚିବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। କୋଭିଡ ପରୀକ୍ଷା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଥିଲା। ପରେ ତାଙ୍କର ନମୁନା ଜେନୋମ ସିକୁଏନସିଂ ପାଇଁ ପଠାଯାଇଥିଲା। ଆଉ ଏବେ ସେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ସେ ପଜିଟିଭ୍ ହେବା ପରେ ତାଙ୍କ ବାପା ମାଙ୍କର ଦୁଇଥର କୋଭିଡ ପରୀକ୍ଷା କରାଯାଇଥିଲା। ଉଭୟଙ୍କର ରିପୋର୍ଟ ନେଗେଟିଭ୍ ରହିଛି । ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହାପୂର୍ବରୁ ରବିବାର ଚାରି ଜଣ ବ୍ୟକ୍ତି ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଓମିକ୍ରନ୍ ସଂକ୍ରମିତ ଚାରିଜଣଙ୍କ ମଧ୍ୟରୁ ତିନିଜଣ ନାଇଜେରିଆରୁ ଫେରିଥିବା ବେଳେ ଅନ୍ୟଜଣେ ସାଉଦି ଆରବରୁ ଆସିଥିଲେ।

ଡିସେମ୍ବର 21ରେ ଓଡିଶା ପ୍ରଥମେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯେଉଁ ଦୁଇ ଜଣ ଚିହ୍ନଟ ହୋଇଥିଲେ ସେମାନେ ଯଥାକ୍ରମେ ନାଇଜେରିଆ ଏବଂ କାତାରରୁ ଫେରି ଆସିଥିଲେ।