କେନ୍ଦୁପତ୍ର ଉପରୁ ଜିଏସଟି ଉଚ୍ଛେଦ ଦାବି
ଝାରସୁଗୁଡା: କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବି । ଜିଲ୍ଲାପାଳଙ୍କ ଅଫିସ ଆଗରେ ଏପରି ପ୍ରତିବାଦ କରିଛି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ । ପ୍ଲାକାର୍ଡ, ବ୍ୟାନର ସହ ସ୍ଲୋଗାନ ଦେଇ ଏକ ଶୋଭାଯାତ୍ରାରେ ଆସି ଝାରସୁଗୁଡା ଡିଭିଜନର ଶତାଧିକ କେନ୍ଦୁପତ୍ର ତୋଳାଳି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରି ଦାବି ପତ୍ର ଜଣାଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ଶତକଡା 18 ଭାଗ ବିଡି ଉପରେ ଶତକଡା 28 ଜିଏସଟି ନିଆ ଯିବା ଫଳରେ ଗୋଟିଏ ପ୍ରାକୃତିକ ଓ ପ୍ରସ୍ତୁତ ହେଉଥିବା ବିଡିରେ ଦୈତ ଟିକସ ଲଗାଇବା ଯୋଗୁଁ ଗତ ଚାରି ବର୍ଷ ମଧ୍ୟରେ କେନ୍ଦୁପତ୍ର ସଂସ୍ଥାରେ ଲାଭର ମାତ୍ରା ହ୍ରାସ ପାଉଥିବା ଯୋଗୁଁ ଏହି ସଂସ୍ଥାରେ କାର୍ଯ୍ୟରତ ପ୍ରାୟ 12 ଲକ୍ଷ ଶ୍ରମିକଙ୍କ ଜୀବନ ଜୀବିକା ବିପନ୍ନ ହେବା ସହ ସେମାନେ ପାଉଥିବା ସାମାଜିକ ନିରାପତ୍ତା ମୂଳକ ପ୍ରୋସାହନ ବନ୍ଦ ହୋଇଯାଇଛି l କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାର ଉଚ୍ଛେଦ କିମ୍ବା ହ୍ରାସ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହା ଉଚ୍ଛେଦ ହୋଇନାହିଁl ଏପରିକି ବିଜେପିର ଗତ 2019 ନିର୍ବାଚନ ଇସ୍ତାହାରରେ ଏହାର ଉଚ୍ଛେଦ ପାଇଁ ପ୍ରତିଶୃତି ଦିଆଯାଇଥିଲା, କିନ୍ତୁ ଏହାର ଉଚ୍ଛେଦ ନ ହୋଇଥିବା ସଂଘ କହିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଂଘ କହିଛି ।
ସଂଘର ସଭାପତି ବିଜୟ ମହାନ୍ତି ଅଧ୍ୟକ୍ଷତା କରି ଲକ୍ଷ୍ୟ ଲକ୍ଷ୍ୟ ତୋଳାଲିଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜିଏସଟି ଉଚ୍ଛେଦ କରନ୍ତୁ ବୋଲି ଦାବି କରିଥିଲେ। ଏହା ସହିତ ସଂଘର ଉପସଭାପତି ଗୋକୁଳ ମେହେର ରାଜ୍ୟ ସମ୍ପାଦକ ସଞ୍ଜିତ ମହାନ୍ତି, ସଂଘର ଡିଭିଜନ ସମ୍ପାଦକ ତଥା ରାଜ୍ୟ କୋଷାଧ୍ୟକ୍ଷ ଦୀନବନ୍ଧୁ ବେହେରା, ଓକିଲା ସଂଘ ସଭାପତି ତ୍ରିନାଥ ଗୋଏଲ, ଯୁଗ୍ମ ସମ୍ପାଦକ ପ୍ରଦୀପ ସାହୁ, ଯୁଗ୍ମ ବିହାରି ପରିଡ଼ା, ଶ୍ରମିକ ନେତା ସୁବାଷ ନାୟକ ପ୍ରମୂଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ ରଖନ୍ତୁ ବୋଲି ଦାବି ରଖିଥିଲେ।
ଏହା ବ୍ୟତୀତ ଗତ 3 ଡିସେମ୍ବରରେ ବିଧାନସଭା ସମ୍ମୁଖରେ ଏକ ସମାବେଶ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ଦୃଢତାର ସହ ଚାପ ସ୍ରୁଷ୍ଟି ପାଇଁ ମଧ୍ୟ ଏକ ଦାବିପତ୍ର ଦିଆଯାଇଛି। ଏହା ସହିତ ଆଜି ମଧ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରି କେନ୍ଦୁପତ୍ର ତୋଳାଳିଙ୍କୁ ଦୁଇ ହଜାର କେରୀକୁ ପୂର୍ବପରି ହାତରେ କେରୀ କରିବା, ଗ୍ରାମ ସଭା ନାମରେ ଘରୋଇକରଣ କୁ ପ୍ରୋତ୍ସାହନ ନ ଦେବା, ସମାଜିକ ନିରାପତ୍ତା ପ୍ରୋତ୍ସାହନ, ଛାତ୍ର ବୃତ୍ତି, କନ୍ୟା ବିବାହ, ଚିକିତ୍ସା ସହାୟତାକୁ ପୁନଃ ପ୍ରଚଳନ କରିବା, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି କରିବା, ସର୍ବନିମ୍ନ ମଜୁରୀ ସଂଶୋଧନ କରିବା ଏବଂ କେନ୍ଦୁପତ୍ର ଦରକୁ ବୃଦ୍ଧି କରିବା ଆଦି ଦାବିରେ 15400 ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛିl
ତରୁଣ ସାହୁ, ଅଶୋକ ମାଝୀ, ସୁମିତପଟେଲ, ଶୁଭେନ୍ଦୁନାୟକ, ରମେଶ ପ୍ରଧାନ, ସନ୍ତୋଷ ପଟେଲ, ଅମ୍ବିକା ପ୍ରଧାନ, ପ୍ରମିଳା ମୁଣ୍ଡା, ଜେମା ଧୁରୁଆ, ଅନିମା ତିର୍କୀ, ମୀନା ଧୁରୁଆ ପ୍ରମୁଖ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ।