?????

ଶାସକ ଏବଂ ବିରୋଧୀ ପ୍ରସ୍ତୁତ: ଗୃହ କମ୍ପିବ ନା ବିତର୍କ ହେବ?

ଭୁବନେଶ୍ୱର: ଡିସେମ୍ବର ଏକରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ଶାସକ ଏବଂ ବିରୋଧୀ ପ୍ରସଙ୍ଗ କରି ପରସ୍ପରକୁ ଘେରିବାକୁ ପ୍ରସ୍ତୁତ । ଯଦିଓ ବାଚସ୍ପତି କହିଛନ୍ତି ଗୃହରେ ହୋହଲ୍ଲାକୁ ଅନୁମତି ଦିଆଯିବ ନାହିଁ କିନ୍ତୁ ବିରୋଧୀ ପ୍ରସଙ୍ଗ ହାତଛଡା କରି ବାଚସ୍ପତିଙ୍କ ନିୟମ ପାଳନ କରି ଶାସକ ଦଳକୁ ଖସିଯିବାକୁ ଅନୁମତି ଦେବେ ନାହିଁ ବୋଲି ପରୋକ୍ଷରେ ଚେତାଇ ଦେଇଛନ୍ତି। ତେଣୁ ଅମ୍ପେୟାର ଆସନରେ ବସିଥିବା ବାଚସ୍ପତି ବିଧାନସଭା କେମିତି ଚଳାଉଛନ୍ତି ତା ଉପରେ ନଜର ରହିବ। ସବୁଠୁ ବଡ଼ କଥା ହେଲା ଶାସକ ଦଳ ଦରଦାମ ବୃଦ୍ଧି ଏବଂ ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ କରି ମହିଳାଙ୍କ ଦ୍ୱାରା ପ୍ରତିବାଦ କରିବ ଏବଂ ବିଜେପି ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ପ୍ରସଙ୍ଗ କରି ସରକାରକୁ ଘେରିବ।

ବସିବାକୁ ଥିବା ଶୀତକାଳୀନ ଅଧିବେଶନରେ ଚଳିତ ଥର ତିନି ପ୍ରମୁଖ ରାଜନୈତିକ ଦଳ ମହିଳା ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି । ବିରୋଧୀ କଂଗ୍ରେସ ଏବଂ ବିଜେପି ମମିତା ମେହେର ହତ୍ୟା ପ୍ରସଙ୍ଗ ଉଠାଇ ଶାସକ ଦଳ ବେକରେ ଗାମୁଛା ପକାଇ ଉତ୍ତର ରଖିବାକୁ ବାଧ୍ୟ କରିବ ବୋଲି କହିଛି ଅନ୍ୟପଟେ ରୋଷେଇ ଗ୍ୟାସର ଦର ବୃଦ୍ଧି କିଭଳି ରୋଷେଇ କରୁଥିବା ମହିଳାଙ୍କୁ କଲବଲ କଲାଣି ସେ ନେଇ ଗୃହ ଭିତରେ ଏବଂ ବାହାରେ ହାଲ୍ଲା ବୋଲ କରିବ ବୋଲି ଜଣାପଡିଛି।

ବିରୋଧୀ ମମିତା ମେହେର ପ୍ରସଙ୍ଗ ଉଠାଇ ଏ ସରକାରରେ ମହିଳା ଅସୁରକ୍ଷିତ ବୋଲି ବାର୍ତ୍ତା ଦେବାକୁ ପ୍ରୟାସ କରୁଛି। ଆଗାମୀ ଦିନରେ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି। ଶାସକ ଦଳକୁ ଏପରି ପ୍ରସଙ୍ଗରେ ହଲାପଟା କରି ରାଜ୍ୟବାସୀଙ୍କ ଆଗରେ ଶାସକ ଦଳକୁ ଆଣ୍ଠେଇବାକୁ ବିରୋଧୀ ପ୍ରୟାସ କରିଛନ୍ତି। କିନ୍ତୁ ଗୃହରେ ସଂଖ୍ୟାବଳ ଏବଂ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯଦି ହୋ ହାଲ୍ଲା ବିରୋଧରେ ଜିରୋ ଟୋଲରେନସ ନୀତି ଆପଣାନ୍ତି ତାହେଲେ ଗୃହରେ ବିରୋଧୀଙ୍କ ରଣନୀତି ଫସର ଫାଟିବ। ହେଲେ ବାଚସ୍ପତି  ଶାସକ ଦଳର ନେତା ହୋଇଥିବାରୁ ଅନେକ ଥର ବିରୋଧୀ ତାଙ୍କ ପୋଡିୟମ ଉପରକୁ ଉଠି ନିରପେକ୍ଷତା ଉପରେ କଂଗ୍ରେସ ନେତା ତାରା ବାହିନୀ ପତି ପ୍ରଶ୍ନ ଉଠାଇ ସାରିଛନ୍ତି। ନିକଟରେ ହୋ ହାଲ୍ଲା ହୋଇପାରିବନି ବୋଲି ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ତାରା କହିଥିଲେ ବାଚସ୍ପତି ବିଜେଡିର ବାଚସ୍ପତି ନହେବା ଦରକାର। ଅର୍ଥାତ୍ ବିରୋଧୀ କେଉଁଠି ନା କେଉଁଠି ଜାଣିସାରିଲେଣି ମାଳମାଳ ପ୍ରଶ୍ନରେ ଘାଇଲା ହେବା ପୂର୍ବରୁ ହୋ ହାଲ୍ଲାକୁ ବରଦାସ୍ତ କରାଯିବନି ବୋଲି ବାଚସ୍ପତି ନିୟମ କରୁଛନ୍ତି।

ତେବେ ରାଜ୍ୟ ତଥା ଦେଶରେ ଦରଦାମ ବୃଦ୍ଧି ସମସ୍ତଙ୍କୁ ବାଧିଛି। ଯାହାକୁ ନେଇ କଂଗ୍ରେସ ଏବଂ ବିଜେଡି ବିଜେପି ନେତାଙ୍କୁ ଅଣ୍ଡା ମାଡ ପାଖରୁ ଆରମ୍ଭ କରି ଅନେକ ପ୍ରକାରର ପ୍ରତିବାଦ କରୁଛନ୍ତି। ଏପରି ସ୍ଥିତିରେ ଉଭୟ ଦଳ ଏହାକୁ ନେଇ ବିରୋଧୀ ବିଜେପିକୁ ଘେରିଛନ୍ତି।

Related Articles

Leave a Reply

Back to top button
error: Content is protected !!