?????

ବର ହୋଇ ଯାଇଥାନ୍ତେ, ଶବ ହୋଇ ଫେରିଲେ

ଝାରସୁଗୁଡ଼ା: ବିବାହ ପାଇଁ ପରିବାର ଓ  ବନ୍ଧୁ ବାନ୍ଧବ ଉତ୍ସାହିତ ଥିଲେ। କିନ୍ତୁ ନିୟତିର ଅନ୍ୟ କିଛି ନିର୍ଦେଶ ଥିଲା। ତେଣୁ ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କର ବିୟୋଗ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ୧୯ଖଣ୍ଡ ମୌଜାର କଣ୍ଢେଇକେଲା ଗ୍ରାମରେ।

ନେପାଳଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ  ଗ୍ରହଣ କରି ପାରୁନଥିବା ବେଳେ ଏହି ଖବର ସମସ୍ତଙ୍କୁ ହତବାକ କରି ଦେଇଛି। ନେପାଳଙ୍କ ବାହାଘର  ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଛତାଦେଇ ଗ୍ରାମରେ ସ୍ଥିର ହୋଇଥିଲା। ବାହାଘର ଲଗ୍ନ ଶନିବାର ରହିଥିଲା। ସେ ବର ବେଶରେ ସଜେଇ ହୋଇ କନିଆ ଘରକୁ ଯାଇଥାନ୍ତେ। ହେଲେ ବିଧିର ବିଧାନ ଆଉ କିଛି ଥିଲା। ତେଣୁ କନିଆ ଘରକୁ ଯିବା ପରିବର୍ତ୍ତ ନେପାଳ ପ୍ରଧାନଙ୍କ ମର ଶରୀର ଶ୍ମଶାନକୁ ଯାଇଛି।

ତିନି ଚାରି ଦିନ ପୂର୍ବରୁ ନେପାଳ ଅସୁସ୍ଥ ଅନୁଭବ କରୁଥିଲେ। ନେପାଳଙ୍କର କୋଭିତ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ। ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଶୁକ୍ରବାର ସଂଧ୍ୟାରେ ସେ ଘରେ ଶୋଇଥିବା ବେଳେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ପରେ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ। ବୁର୍ଲାରେ ତାଙ୍କୁ ଆଇସିୟୁରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ। ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ହୋଇଥିବା ଯୋଗୁଁ ହଠାତ୍ ନେପାଳଙ୍କ ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଥିବା ପରିବାର ଲୋକେ କହିଛନ୍ତି।

ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ନେପାଳ ୬ଜଣ ଭାଇ ଭଉଣୀ ମଧ୍ୟରେ ସାନ ଥିଲେ। ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ ନେପାଳ। ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି।

ତେହେ ନେପାଳ ଛତିଶଗଡ଼ ସୀମାରେ କୋଭିଡ ଡ୍ୟୁଟି କରିଥିଲେ। ସେହି ସମୟରେ ନେପାଳ କରୋନା ମହାମାରୀ ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି। ହେଲେ ଆଣ୍ଟିଜେନ କିଟ ଧୋକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ଗାଁ ଲୋକେ କହିଛନ୍ତି। ଯଦି ରିପୋର୍ଟ ଠିକ୍ ଆସିଥାନ୍ତା ତାହେଲେ ସେ ଚିକିତ୍ସିତ ହୋଇ ସୁସ୍ଥ ହୋଇପାରିଥାନ୍ତେ ବୋଲି ଗାଁ ଲୋକେ କହିଛନ୍ତି।

Related Articles

Leave a Reply

Back to top button
error: Content is protected !!