ଝାରସୁଗୁଡା: ମଦ ପିଆକୁ ନେଇ ବଚସା ପରେ ହତ୍ୟା ଅଭିଯୋଗ । ସାଙ୍ଗ ମାନଙ୍କ ସହ ମିଶି ମଦ ପିଇବା ପରେ ବଚସା ହେବାରୁ 29 ବର୍ଷ ବୟସ୍କ ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ଜତିଶ ସାହୁ। ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଲେ ସୋରାବ ବର୍ତ୍ତିଆ, ବାଲମୁକୁନ୍ଦ ସେଠ, ମହେଶ ସେଠ ଏବଂ ଆକାଶ ମରେଇ। ଏହି ଚାରି ଅଭିଯୁକ୍ତଙ୍କ ବୟସ 26ରୁ 19 ବର୍ଷ ମଧ୍ୟରେ ରହିଛି। ସେହିପରି ଅନ୍ୟତମ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି । ତାଙ୍କ ବୟସ 16 ବର୍ଷ । ବଡମାଳ ପୋଲିସ ଶୁକ୍ରବାର ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଦୀପାବଳି ଅବସରରେ ଏହି ପାଞ୍ଚ ଜଣଙ୍କ ସହି ମିଶି ଜତିଶ ସାହୁ ମଦ ପିଇଥିଲେ । ରାତି 10 ଟାରେ ମଦ ପିଇବା ପରେ ସେମାନଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ ପାଟି ତୁଣ୍ଡ ହୋଇଥିଲା। ପରେ ଯୁକ୍ତିତର୍କ ବଢିଥିଲା । ପରେ ଏହି ପାଞ୍ଚ ଜଣ ଜତିଶଙ୍କୁ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସୂଚନା ପାଇବା ପରେ ବଡମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜତିଶଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା ଯେଉଁଠାରେ ଚିକିତ୍ସା ବେଳେ ଜତୀଶର ପ୍ରାଣବାୟୁ ଉଡିଯାଇଥିଲା।
ବଡମାଳ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ପାଞ୍ଚ ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଚଳାଇଛି। ଝାରସୁଗୁଡା ଏସପି ବିକାଶ୍ ଚନ୍ଦ୍ର ଦାସ କହିଛନ୍ତି, “ଆମେ ଏହି ହତ୍ୟା ବାବଦରେ ସୂଚନା ପାଇଥିଲୁ ଏବଂ 24 ଘଣ୍ଟା ମଧ୍ୟରେ ଏହି ଅପରାଧରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଯେତେବେଳେ ସେମାନେ ମଦ ପିଉଥିଲେ, ସେହି ସମୟରେ ମୃତ ବ୍ୟକ୍ତିଙ୍କ ସାଙ୍ଗମାନଙ୍କ ସହିତ ଝଗଡା ହୋଇଥିଲା। ପରେ ତାଙ୍କୁ ପଥର ମାଡ କରି ହତ୍ୟା କରାଯାଇଥିଲା।। ”