ଚିନ୍ତା ବଢ଼ାଇଲା ଏମଆଇ ସିଣ୍ଡ୍ରୋମ୍, ଜ୍ୱର ସହ ପେଟ କାଟୁଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

0
43

ଭୁବନେଶ୍ୱର: ଏମ୍ ଆଇ ସିଣ୍ଡ୍ରୋମର ଶିକାର ହୋଇ ଜଣେ ଛୋଟ ଛୁଆ ପ୍ରାଣ ହରାଇଛି। ଏହାପରେ ରାଜ୍ୟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯଦି ଜଣେ ଛୋଟ ଛୁଆ ଜ୍ୱରରେ ଆକ୍ରାନ୍ତ ହେବା ସହିତ ଲଗାତର ତିନି ଦିନ ଧରି ପେଟ ବଥାର ଶିକାର ହେଉଛି ତାହାଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଦରକାର। ଆଗୁଆ ରୋଗ ଚିହ୍ନଟ ହୋଇପାରିଲେ ପ୍ରତିକାର ସମ୍ଭବ ବୋଲି ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ଦେ କହିଛନ୍ତି।

ଏହି ଏମଆଇ ସିଣ୍ଡ୍ରୋମ ପ୍ରଥମେ କୋଭିଡର ପ୍ରଥମ ଲହର ବେଳେ ଦେଖାଯାଇଥିଲା। ହେଲେ ଦ୍ୱିତୀୟ ଲହର ଏହି ସିଣ୍ଡ୍ରୋମକୁ ଆହୁରି ପ୍ରଭାବୀ କରିଛି। ଅଧିକରୁ ଅଧିକ ପିଲା ଏବେ ଏହି ଏମଆଇ ସିଣ୍ଡ୍ରୋମ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ତେବେ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ 80 ପ୍ରତିଶତ ଏହି ରୋଗର ଶିକାର ହେଉଛନ୍ତି କିନ୍ତୁ ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। 15 ପ୍ରତିଶତ ପିଲାଙ୍କ ପାଖରେ ଲକ୍ଷଣ ବିକଶିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ 5 ପ୍ରତିଶତ ଗୁରୁତର ଅସୁସ୍ଥ ହୋଇପଡୁଛନ୍ତି। ସେହିଭଳି କେବଳ 3 ପ୍ରତିଶତ ଅକ୍ସିଜନର ସହାୟତା ଆବଶ୍ୟକ କରନ୍ତି। ବାକି 2 ପ୍ରତିଶତ ଆଇସିୟୁରେ ଭର୍ତ୍ତି ହେବା ଆବଶ୍ୟକ କରନ୍ତି।

ତେବେ ଲୋକଙ୍କୁ ଭୟଭୀତ ନହେବାକୁ ଅନୁରୋଧ କରି ପାଣିଗ୍ରାହୀ କହିଛନ୍ତି, “ଏମଆଇ ସିଣ୍ଡ୍ରୋମର ଚିକିତ୍ସା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ଘଟଣା ବହୁତ କମ୍ ଥିବାରୁ ଲୋକମାନେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ”

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ ଯଦିଓ ଏମଆଇ ସିଣ୍ଡ୍ରୋମ ଓଡିଶାକୁ ଛୁଇଁ ସାରିଛି, ତଥାପି ପରିସ୍ଥିତି ଆଶଙ୍କାଠାରୁ ଦୂରରେ। ବାପା ମା ମାନେ ଲକ୍ଷଣ ପାଇଁ ସେମାନଙ୍କ ପିଲାମାନଙ୍କ ଉପରେ ନଜର ରଖିବା ଉଚିତ।

ଏହି ସିଣ୍ଡ୍ରୋମରେ କୌଣସି ପିଲା ଆକ୍ରାନ୍ତ ହେଲେ ଆଖି, ପାଟି, ପାଦ ଲାଲ ପଡିଯିବ। ପତଳା ଝାଡ଼ା, ବାନ୍ତି, ପେଟ ଯନ୍ତ୍ରଣା ବି ହେବ। ଧୀରେ ଧୀରେ ଶରୀରର ସବୁ ଅଙ୍ଗ ସଂକ୍ରମିତ ହୋଇଯିବ।