ଠିକ୍ ସମୟରେ ହେବ ପଞ୍ଚାୟତ ନିର୍ବାଚନ: ପ୍ରତାପ ଜେନା
ଭୁବନେଶ୍ୱର: ପଞ୍ଚାୟତ ସୀମା ପୁନଃ ନିର୍ମାଣ କାମ ଶେଷ ହୋଇଯାଇଛି। ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ତେଣୁ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ। ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏଥି ସହିତ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।
ତେବେ ମନ୍ତ୍ରୀ ଯଦିଓ ଫେବୃଆରୀ 2022 ବେଳକୁ ପଞ୍ଚାୟତ ନିର୍ବାଚନ ହେବ ବୋଲି କହୁଛନ୍ତି କିନ୍ତୁ ଏହା ବିଳମ୍ବତ ହେବାର ଆଶଙ୍କା ରହିଛି। କାରଣ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରି ସିଟ୍ ସଂରକ୍ଷଣ ସ୍ଥିର କରି ନାହାନ୍ତି। ସ୍ଥାନୀୟ ନିର୍ବାଚନ ପାଇଁ ଆସନ ସଂରକ୍ଷଣରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ 50 ପ୍ରତିଶତରୁ ଅଧିକ ନକରିବାକୁ କହିଥିଲେ। ବିରୋଧୀ ଦଳ କିନ୍ତୁ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ରାଜ୍ୟ ସରକାର ଗୋଚିଏ ମୌକା ପାଇଯାଇଛନ୍ତି ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବତ କରିବା ପାଇଁ।
ତେବେ ରାଜ୍ୟ ବିଜେପି ଏହାକୁ ଏକ ସାମ୍ବିଧାନିକ ସଙ୍କଟ ବୋଲି କହି ସରକାରଙ୍କୁ ଟାର୍ଗେଟ କରିଛି। ତିନିବର୍ଷ ବିତିଯାଇଛି କିନ୍ତୁ ନିର୍ବାଚନ ଆୟୋଗ ପୌର ନିର୍ବାଚନ କରିବାରେ ଅସମର୍ଥ। ରାଜ୍ୟ ସରକାର ବାହାନା ଜାରି ରଖିଛନ୍ତି ଯେ 50 ପ୍ରତିଶତ ସଂରକ୍ଷଣ ପାଇଁ ବିଦ୍ୟମାନ ଆଇନକୁ ସଂଶୋଧନ କରିବାକୁ ପଡିବ, କିନ୍ତୁ ସଂଶୋଧନ କରିବାକୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିବ ନାହିଁ ବୋଲି ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ପୂର୍ବରୁ କହିଥିଲେ।