ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ କେନ୍ଦ୍ର ସରକାର

0
63

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର କିସ୍ତି ଜାରି କରିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ହିତାଧିକାରୀ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଏହାଫଳରେ 9.75 କୋଟି ହିତାଧିକାରୀ ଚାଷୀ ପରିବାର ଆକାଉଣ୍ଟକୁ 19,500 କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ)ର ନବମ କିସ୍ତି। ପିଏମ-କିସାନ ଯୋଜନାର ଲାଭ ଓଡ଼ିଶାର 29 ଲକ୍ଷ 44 ହଜାର 984 ଜଣ ହିତାଧିକାରୀ ଚାଷୀ ପରିବାର ପାଇବେ। ଆଜି ପ୍ରଧାନମନ୍ତ୍ରୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ 588 କୋଟି 99 ଲକ୍ଷ 68 ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖରିଫ ହେଉ କିମ୍ବା ରବି ଋତୁ ସରକାର ଏମଏସପି ଦରରେ ଚାଷୀଙ୍କ ଠାରୁ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପରିମାଣର ଫସଲ କିଣୁଛନ୍ତି।  ଏଥିସହିତ ଧାନ ଚାଷୀଙ୍କ ଆକାଉଣ୍ଟକୁ 1,70,000 କୋଟି ଟଙ୍କା ଏବଂ ଗହମ ଚାଷୀଙ୍କ ଆକାଉଣ୍ଟକୁ 85,000 ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।

ମୋଦି କହିଛନ୍ତି, ବର୍ତ୍ତମାନ ଦେଶର କୃଷି ନୀତିରେ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ଏହି ଭାବନା ସହିତ, ବିଗତ କିଛି ବର୍ଷ ମଧ୍ୟରେ, କ୍ଷୁଦ୍ର ଚାଷୀଙ୍କୁ ସୁବିଧା ଓ ସୁରକ୍ଷା ଦେବା ଲାଗି ଗମ୍ଭୀର ପ୍ରୟାସ କରାଯାଉଛି। ପିଏମ କିସାନ ସମ୍ମାନ ନିଧି ଅନ୍ତର୍ଗତ ବର୍ତ୍ତମାନସୁଦ୍ଧା ଚାଷୀମାନଙ୍କୁ 1 ଲକ୍ଷ 60 ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇସାରିଛି। ଏଥିମଧ୍ୟରୁ 1 ଲକ୍ଷ କୋଟି ଟଙ୍କା ମହାମାରୀ ସମୟରେ କ୍ଷୁଦ୍ର ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି। କରୋନା ସମୟରେ 2 କୋଟିରୁ ଅଧିକ କିଷାନ କ୍ରେଡିଟ୍ କାର୍ଡ ଚାଷୀଙ୍କୁ ଦିଆଯାଇଛି, ଏମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଚାଷୀ। ଦେଶରେ ଆଗାମୀ ଦିନରେ ବିକଶିତ ହେବାକୁ ଥିବା କୃଷି ଭିତ୍ତିଭୂମି ଓ ଯୋଗାଯୋଗ ଭିତ୍ତିଭୂମି ଦ୍ବାରା ଏପରି ଚାଷୀ ଲାଭବାନ ହେବେ।