ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଲୁଟ୍ ଘଟଣାରେ 4 ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାର କାନ୍ଦବାହାଲ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ 4 ଜଣ ଗିରଫ ହୋଇଛନ୍ତି। ସୁନ୍ଦରଗଡ ଏସପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ଡକାୟତି କରି ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଖସି ପଳାଇଥିଲେ। ହେଲେ ଜିଲ୍ଲା ପୁଲିସର ଟିମ୍ ତାଙ୍କୁ ଚିହ୍ନଟ କରି ଗିରଫ କରିବାରେ ସକ୍ଷମ ହୋଇଛି ବୋଲି ସାଗରିକା କହିଛନ୍ତି। ଗିରଫ ବେଳେ ଏହ ଚାରି ଜଣଙ୍କ ପାଖରୁ 32 ହଜାର ଟଙ୍କା ଏବଂ ଦୁଇଟି ମୋଟର ସାଇକେଲ ଜବତ କରାଯାଇଛି।
ସାଗରିକା ପ୍ରେସ କନଫରେନସ କରି କହିଛନ୍ତି, ଜୁଲାଇ 27ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଲୁଟ୍ ପରେ ସଦର ଏସଡିପିଓଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗଠନ କରାଯାଇଥିଲା। ବିହାର ଏବଂ ଝାଡଖଣ୍ଡ ପୋଲିସର ସହଯୋଗରେ ଏହି ତିନି ଟିମର ମିଳିତ ଉଦ୍ୟମରେ ସମସ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ସାଗରିକା କହିଛନ୍ତି। ବିହାର, ଝାଡଖଣ୍ଡ ଏବଂ ଓଡିଶାରେ ପ୍ରାୟ 150ରୁ ଅଧିକ ଅପରାଧିକ ଘଟଣାରେ ଏହି ଚାରି ଅଭିଯୁକ୍ତଙ୍କ ସମ୍ପୃକ୍ତ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକାଧିକ ପୋଲିସ ଷ୍ଟେସନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତଙ୍କର ସ୍ଥାନୀୟ ସମ୍ପର୍କ ଅଛି କି ନାହିଁ ତାହା ଜାଣିବା ପାଇଁ ପୁଲିସ ଏବେ ଅଧିକ ତଦନ୍ତ କରିବ ବୋଲି ସେ କହିଛନ୍ତି।
କହି ରଖୁଛୁ ଜୁଲାଇ 27ରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଆସି ଦୁଇ ଦୁର୍ବୃତ୍ତ ବନ୍ଧୁକ ମୁନରେ 2 ଲକ୍ଷ 87 ହଜାର ଟଙ୍କା ଲୁଟ୍ କରି ଖସି ପଳାଇଥିଲେ।