ସ୍ୱାଧୀନତା ଦିବସରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏ ସମ୍ପର୍କରେ ଦିଲ୍ଲୀ ପୋଲିସକୁ ସତର୍କ ସୂଚନା ଜାରି କରାଯାଇଛି। ଅଗଷ୍ଟ 15 ରେ ଡ୍ରୋନ୍ ସାହାଯ୍ୟରେ ରାଜଧାନୀରେ ଏକ ବଡ଼ ଆତଙ୍କବାଦୀ ଘଟଣା ଘଟିପାରେ। ଆତଙ୍କବାଦୀ ଏବଂ ଦେଶ ବିରୋଧୀ କାମରେ ଲିପ୍ତ ବ୍ୟକ୍ତି ଏଭଳି ଘଟଣା ଘଟାଇପାରନ୍ତି। ଇଣ୍ଟେଲିଜେନ୍ସ ଏଜେନ୍ସି ଦିଲ୍ଲୀ ପୋଲିସକୁ ଏପରି ସତର୍କ ସୂଚନା ଦେଇ ସତର୍କ କରାଇଛି। ଆତଙ୍କବାଦୀମାନେ ରାଜଧାନୀରେ ‘ଅପରେସନ୍ ଜିହାଦ୍’ ଆରମ୍ଭ କରିବାକୁ ଯୋଜନା କରୁଥିବା ସୂଚନା ରହିଛି।
ଗୁପ୍ତଚର ଏଜେନ୍ସିମାନେ ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀମାନେ ଅଗଷ୍ଟ 5ରେ ମଧ୍ୟ ଆକ୍ରମଣ କରିପାରନ୍ତି। କାରଣ ଏହି ଦିନ ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା 370 ରଦ୍ଦ କରିଥିଲେ। ଏହି ଧାରା ପୂରଣ ହେବାକୁ ଦୁଇ ବର୍ଷ ପୂରିବ। ତେଣୁ ଆତଙ୍କବାଦୀ ଆକ୍ରମଣ କରି ଏହାର ପ୍ରତିଶୋଧ ନେଇପାରନ୍ତି। ଉଦ୍ଦେଶ୍ୟ ପୂରଣ କରିବାକୁ ଡ୍ରୋନ୍ ବ୍ୟବହାର କରିପାରନ୍ତି ଆତଙ୍କବାଦୀ।
ଗୁଇନ୍ଦା ଏପରି ତଥ୍ୟ ଦେବା ପରେ ଦିଲ୍ଲୀ ପୋଲିସ ସତର୍କ ହୋଇଛି। ଡ୍ରୋନ୍କୁ ମୁକାବିଲା କରିବାକୁ ତାଲିମ ଦିଆଯାଉଥିବା ସୂଚନା ରହିଛି। ଜମ୍ମୁରେ ବାୟୁସେନା ବେସ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ପରେ ଦିଲ୍ଲୀ ପୋଲିସ କମିଶନର ବାଲାଜୀ ଶ୍ରୀବାସ୍ତବ ରାଜଧାନୀ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ନିକଟରେ ଉତ୍ତରପ୍ରଦେଶର ଏଟିଏସ୍ ଲକ୍ଷ୍ନୌରେ ଅଲ କାଏଦା ସହ ଜଡିତ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସ୍ୱାଧୀନତା ଦିବସ ଅବସରରେ ଲକ୍ଷ୍ନୌ ସମେତ ଅନ୍ୟାନ୍ୟ ସହରରେ ବିସ୍ଫୋରଣ କରିବାକୁ ସେମାନେ ଷଡଯନ୍ତ୍ର କରିଥିବା ଜେରା ବେଳେ ଜଣାପଡ଼ିଛି।