କମୁଛି କରୋନା ସଂକ୍ରମଣ ହେଲେ ଏବେ ବି ମୃତ୍ୟୁ ହାର ଚିନ୍ତାଜନକ
ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ 3,403 ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ 91,702 ଜଣ କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି। କ୍ରମାଗତ ଚତୁର୍ଥ ଦିନ ପାଇଁ ଭାରତରେ ଏକ ଲକ୍ଷରୁ କମ୍ ମାମଲା ରହିଛି। ଜୁନ୍ 8ରେ ଭାରତରେ 86,498 ଜଣ ସଂକ୍ରମିତ ହୋଇଥିଲେ। ଏହାପରେ ଏପ୍ରିଲ 2 ପରେ ଏବେ ସର୍ବନିମ୍ନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭାରତରେ ମୋଟ୍ କୋଭିଡ୍ 19 ସଂକ୍ରମିତ ସଂଖ୍ୟା 2,92,74,823ରେ ପହଞ୍ଚିଛି, ଏପର୍ଯ୍ୟନ୍ତ 11,21,671 ଜଣ ଚିକିତ୍ସାଧୀନ ରହିଥିବା ବେଳେ ମୋଟ୍ 3,63,079 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି।
ସପ୍ତାହେ ଧରି ଦ୍ୱିତୀୟ ଲହର ସହିତ ଲଢ଼େଇ କରିବା ପରେ ମେ7ରେ ପ୍ରଥମ ଥର ପାଇଁ 4,14,188 ଜଣ କୋଭିଡରେ ସଂକ୍ରମିତ ହୋଇଥିଲେ। ଏହାପରେ ତିନି ଲକ୍ଷରୁ 2 ଲକ୍ଷ ଏବେ 1 ଲକ୍ଷରୁ ତଳେ ରହିଛି ଦୈନିକ ସଂକ୍ରମିତ ସଂଖ୍ୟା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ମୋଟ୍ 11,21,671 ଜଣଙ୍କୁ ଡିସଚାର୍ଜ କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍ 2,77,90,073 ଜଣ ଡିସଚାର୍ଜ ହୋଇଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ 24,60,85,649 ଲୋକଙ୍କୁ ଟିକାକରଣ କରାଯାଇଛି, ସେଥିମଧ୍ୟରୁ ଗତ 24 ଘଣ୍ଟା ମଧ୍ୟରେ 32,74,672 ଲୋକଙ୍କୁ ଟିକା ଦିଆଯାଇଛି।