କରୋନା ଯୁଦ୍ଧରେ ବିଜୟୀ ହେଲା ନବଜାତ ଶିଶୁ

କଳାହାଣ୍ଡି: ଯେଉଁ ମହାମାରୀରେ ବୃଦ୍ଧା ଓ ଯୁବ ବର୍ଗ ହାର୍ ମାନୁଛନ୍ତି ସେଠି ଗୋଟିଏ ନବଜାତ ବିଜୟୀ ହୋଇଛି। ଯାହାକି ଏବେ କରୋନାକୁ ମାତ୍ ଦେବା ପାଇଁ କେବଳ ମନୋବଳ ଏବଂ ଧୈର୍ଯ୍ୟର ଆବଶ୍ୟକତା ରହିଛି। ପାଖାପାଖି 10 ଦିନରୁ ଅଧିକ ଭେଣ୍ଟିଲେଟରରେ ରହିବା ପରେ ଗୋଟିଏ ନବଜାତ ଶିଶୁ କରୋନାକୁ ମାତ୍ ଦେଇଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଏହି ନବଜାତ ଶିଶୁ କରୋନାକୁ ହରାଇବା ଉଭୟ ଡାକ୍ତର ଏବଂ ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ସେ ଭେଣ୍ଟିଲେଟରରୁ ବାହାରିବା ପରେ ଶିଶୁଟିକୁ ଆଉ 10 ଦିନ ଡାକ୍ତରମାନେ ନିଜ ତତ୍ୱବଧାନରେ ରହିବ ବୋଲି ଜଣାପଡ଼ିଛି।
କାଳାହାଣ୍ଡି ଜିଲ୍ଲାର ଏମ ରାମପୁରର ଅଙ୍କିତ ଅଗ୍ରୱାଲ (32) ଙ୍କ ପତ୍ନୀ ପ୍ରୀତି ଅଗ୍ରୱାଲ (29) ପ୍ରଥମ ସନ୍ତାନ ପ୍ରସବ କରାଇଥିଲେ। କିଛି ଦିନ ପରେ ଦମ୍ପତିଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା। ଆଉ ପରିବାର ବର୍ଗ କୋଭିଡ୍ ପରୀକ୍ଷା କରାଇଥିଲେ। ଅଙ୍କିତଙ୍କ ବାପା ଓ ସେ ନିଜେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପା ଆଖି ବୁଜିଥିଲେ।
ସେହିପରି ନବଜାତ ଶିଶୁ ମଧ୍ୟ ଜ୍ୱରରେ ପୀଡିତ ହୋଇଥିଲା ଆଉ ସେ ଠିକ୍ ଭାବରେ ସ୍ତନ୍ୟପାନ କରୁନଥିଲା। ଆଉ ଅଙ୍କିତଙ୍କ ପତ୍ନୀ ଏବଂ ଭଉଣୀ ମଧ୍ୟ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଭର୍ତ୍ତି ହୋଇଥିଲେ। ତେବେ ଛୋଟ ଛୁଆଟି ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲା। ଆଉ ତାକୁ ତୁରନ୍ତ କାଳାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆରମ୍ଭରୁ 10 ଦିନ ନବଜାତ ଶିଶୁଟି ଭେଣ୍ଟିଲେଟରରେ ରହିଥିଲା। ଆଉ 10 ଦିନ ଚିକିତ୍ସା କରିବା ପରେ ଶିଶୁ ଆରୋଗ୍ୟ ହୋଇଥିଲା। ଚିକିତ୍ସା କରୁଥିବା ଡାକ୍ତର ଅରିଜିତ ମହାପାତ୍ର କହିଛନ୍ତି ଯେ ଶିଶୁଟି ଆରୋଗ୍ୟ ହେବା ଚମତ୍କାର ବ୍ୟତୀତ ଆଉ କିଛି ନୁହେଁ।
ଶିଶୁଟିକୁ ବଞ୍ଚାଇବା ଆମ ପକ୍ଷେ ଅସମ୍ଭବ ମନେ ହେଉଥିଲା। ଆମେ ତାକୁ 10 ଦିନ ପାଇଁ ଭେଣ୍ଟିଲେଟରରେ ରଖି ନବଜାତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ରେମଡେସିଭର୍, ଷ୍ଟିରଏଡ ଏବଂ ଆଣ୍ଟିବାୟୋଟିକ୍ ଦେଇଥିଲୁ। ଶେଷରେ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଛି ବୋଲି ଡାକ୍ତର କହିଛନ୍ତି।