ଓଡ଼ିଶା ସମେତ ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର କୋଭିଡ ସ୍ଥିତି ପରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଓଡ଼ିଶା ସମେତ ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କୋଭିଡ ଓ ଟୀକାକରଣ ସ୍ଥିତି ବାବଦରେ ଆଲୋଚନା କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯଦିଓ ଗତ 24 ଘଣ୍ଟା ମଧ୍ୟରେ 3.48 ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତଥାପି ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରୁ 11,122 ସଂଖ୍ୟକ ସଂକ୍ରମିତ ହ୍ରାସ ପାଇଛନ୍ତି। ଲଗାତାର ଦ୍ବିତୀୟ ଦିନ ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ସେ କୋଭିଡ ଉପଯୁକ୍ତ ବ୍ୟବହାର ଏବଂ ବର୍ତ୍ତମାନର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଠୋରତାର ସହିତ କଣ୍ଟେନମେଣ୍ଟ ଲାଗୁ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।
ଟିକାକରଣ ଅଭିଯାନର ଗୁରୁତ୍ବ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ, କୋଭିଡ-19 ବିରୋଧରେ ଟିକାକରଣ ହେଉଛି ଆମର ସବୁଠୁ ବଡ଼ ଅସ୍ତ୍ର। 114 ଦିନ ମଧ୍ୟରେ 17 କୋଟି ଟିକା ପ୍ରଦାନ କରି ଭାରତର ବିଶ୍ବର ଦ୍ରୁତତମ ରାଷ୍ଟ୍ର ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଏହି ଅବସରରେ କହିଥିଲେ ଯେ 13.66 କୋଟି ଲୋକ ପ୍ରଥମ ଡୋଜ, 3.86 କୋଟି ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି। ତେବେ ଆମେ ଦ୍ବିତୀୟ ଡୋଜ ଟିକାକରଣ ଉପରେ ଜୋର ଦେବା ଗୁରୁତ୍ବପୂର୍ଣ୍ଣ। ରାଜ୍ୟଗୁଡ଼ିକ ଦ୍ବିତୀୟ ଡୋଜ ଟିକା ଦେବା ଲାଗି 70% ଟିକା ଉପଯୋଗ କରିବା ସହିତ 30% ପ୍ରଥମ ଡୋଜ ପାଇଁ ସଂରକ୍ଷିତ କରିବା ଉପରେ ସେ ଜୋର ଦେଇଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଟିକା ଉତ୍ପାଦନକାରୀଙ୍କ ଦ୍ବାରା ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ପାଇଁ ପ୍ରତି ମାସରେ 50% ଟିକା ଡୋଜ ଉପଲବ୍ଧ କରାଯାଉଛି। ଭାରତ ସରକାର ନିଜର ଅଂଶ ଭାବେ 50% ଟିକା କ୍ରୟ ଜାରି ରଖିଛନ୍ତି। ଏହି ଟିକା ପୂର୍ବ ପରି ରାଜ୍ୟଗୁଡ଼ିକୁ ନିଃଶୁଳ୍କ ଉପଲବ୍ଧ କରାଯିବ।
ଦେଶରେ ଟିକା ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଡ. ହର୍ଷ ବର୍ଦ୍ଧନ ସୂଚନା ଦେଇଥିଲେ। ବିଦେଶରେ ବିକଶିତ ଓ ଉତ୍ପାଦିତ ହେଉଥିବା ଟିକା ଯେଉଁଗୁଡ଼ିକ ୟୁଏସଏଫଡିଏ, ଇଏମଏ, ୟୁକେ ଏମଏଚଆରଏ, ପିଏମଡିଏ ଜାପାନ ଦ୍ବାରା ସୀମିତ ଉପଯୋଗ ନିମନ୍ତେ ଜରୁରିକାଳୀନ ମଞ୍ଜୁରି ମିଳିଛି କିମ୍ବା ଡବ୍ଲୁଏଚଓ ଦ୍ବାରା ଜରୁରିକାଳୀନ ଉପଯୋଗ ତାଲିକାରେ ସାମିଲ କରାଯାଇଛି ସେଗୁଡ଼ିକୁ ଭାରତରେ ଜରୁରିକାଳୀନ ଉପଯୋଗ ନିମନ୍ତେ ମଞ୍ଜୁରି ମିଳିପାରେ ବୋଲି ଡ. ହର୍ଷବର୍ଦ୍ଧନ କହିଥିଲେ। ଟିକା ଉତ୍ପାଦନକାରୀମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଉଛି ଏହା 2021 ମେ ସୁଦ୍ଧା 8କୋଟି ଡୋଜ ଏବଂ ଜୁନ ସୁଦ୍ଧା 9 କୋଟି ଡୋଜରେ ପହଞ୍ଚିବ।
ଏହି ବୈଠକରେ ଓଡ଼ିଶା, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନା ସହିତ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ସାମିଲ୍ ହୋଇଥିଲେ। ଓଡ଼ିଶାରୁ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଥିଲେ।