ଅଲିମ୍ପିକ୍ସି: ହକିରେ ଭାରତକୁ ବ୍ରୋଞ୍ଜ, ପାନପୋଷରେ ସେଲିବ୍ରେସନ; ଅମିତ୍ ରୋହିଦାସଙ୍କୁ ପ୍ରଶଂସା

ରାଉରକେଲା: ଟୋକିଓ ଅଲିମ୍ପିକ୍ସିରେ ଭାରତ ଦୀର୍ଘ 41 ବର୍ଷ ପରେ ପଦକ ବିଜୟୀ ହୋଇଛି। ଜର୍ମାନୀକୁ ହରାଇ ଭାରତ ବ୍ରୋଞ୍ଜ ଜିତିଛି। ଭାରତୀୟ ପୁରୁଷ ହକି ଟିମ୍ ବିଜୟୀ ହେବା ପରେ ସୁନ୍ଦରଗଡ ପାଖରୁ ଆରମ୍ଭ କରି ଟୋକିଓ ଯାଏ ସମସ୍ତେ ଖୁସି ବ୍ୟକ୍ତି କରିଛନ୍ତି। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ପାଖରୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି।
ହକିର ଏନ୍ତୁଡିଶାଳ କୁହାଯାଉଥିବା ପାନପୋଷ ଷ୍ଟାଡିୟମରେ ମଧ୍ୟ ଏହାର ଧୁମ୍ ଦେଖିବାକୁ ମିଳିଛି। ଭାରତୀୟ ପୁରୁଷ ହକି ଟିମରେ ଓଡ଼ିଶାର ଦୁଇ ହକି ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା ରହିଛନ୍ତି। ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବଲାଲ। ସେ କହିଛନ୍ତି ଯେ ଟିମ୍ ବହୁତ ବଢ଼ିଆ ଖେଳିଛି। ତେବେ ଟିମ୍ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶା ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି।
ପାନପୋଷ ଷ୍ଟାଡିୟମରେ ଆଜି ଏହି ଅବସରରେ ସମସ୍ତ ହକି ଖେଳାଳି ଏକାଠି ହୋଇ ସେଲିବ୍ରେସନ କରିଥିଲେ। ଷ୍ଟାଡିୟମରେ ବାଜା ବଜାଇ ନାଚି ଉତ୍ସବ ମନାଇଛନ୍ତି ହକି ଖେଳାଳି । ଏଥିରେ ଏକାଧିକ ଖେଳାଳି ସାମିଲ ହୋଇଥିଲେ। ପୂର୍ବତନ ହକି ଖେଳାଳି ଲାଜାରୁଜ ବାର୍ଲା ଓ ବରିଷ୍ଠ ହକି କୋଚ୍ ଅମୂଲ ନନ୍ଦ ବିହାରୀ ମଧ୍ୟ ଏଥିରେ ସାମିଲ ହୋଇ ସେଲିବ୍ରେସନ୍ କରିଛନ୍ତି । ଦୁଇ ଓଡ଼ିଆ ଖେଳାଳି ହକି ଟିମରେ ସାମିଲ୍ ହୋଇଥିବାରୁ ଆଜି ରାଜ୍ୟବାସୀ ଖୁସି ବ୍ୟକ୍ତ କରିଛନ୍ତି।