ଆଶିଷ ପଣ୍ଡା ହେଲେ ଶିଶୁ ସୁରକ୍ଷା କମିଟିର ନୂଆ ଅଧ୍ୟକ୍ଷ

ଝାରସୁଗୁଡ଼ା: ଶିଶୁ ମଙ୍ଗଳ କମିଟିର ନୂଆ ଅଧ୍ୟକ୍ଷ ଓ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗର ବିଜ୍ଞପ୍ତି ଆଧାରରେ ଡିସେମ୍ବର 19ରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ନୂଆ ଅଧ୍ୟକ୍ଷ ଆଶିଷ କୁମାର ପଣ୍ଡା, ସଦସ୍ୟ ଜନ୍ମଞ୍ଜୟ ଦାସ, ମମତା ଦାସ ଓ ଗୋବର୍ଦ୍ଧନ ମହାନନ୍ଦ ନିଜ ନିଜ ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ପୂର୍ବତନ ଓ ନୂଆ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବତନ ଅଧ୍ୟକ୍ଷା ଏସ ଆନନ୍ଦିନୀ ପାଢ଼ୀ, ପୂର୍ବତନ ସଦସ୍ୟା ମମତା ତ୍ରିପାଠୀ, ଅହଲ୍ୟା ନାଏକ ଓ ଗୁଣନିଧି ଭାଇଶା ନିଜ ନିଜ ଦାୟିତ୍ୱ ହସ୍ତାନ୍ତର କରି ନୂଆ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟି ଅତୀତରେ କରିଥିବା କାମ ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲାରେ ଶିଶୁମାନଙ୍କ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଜିଲ୍ଲାରେ ଶିଶୁମାନଙ୍କ ପାଇଁ ଭବିଷ୍ୟତରେ ସହଯୋଗ କାମନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ ପଦାଧିକାରୀ, ଚାଇଲ୍ଡ ଲାଇନର କର୍ମକର୍ତ୍ତା ଉପସ୍ଥିତ ଥିଲେ।




