?????

ପୁରଣ ହେଲା ଦୀର୍ଘ ଦିନର ଦାବି, ଝାରସୁଗୁଡାବାସୀଙ୍କୁ ମିଳିଲା ସିଟି ସ୍କାନ ସେବା

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ। ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସିଟିସ୍କାନ ମେସିନର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି ସ୍କାନର ସୁବିଧା ପାଇ ପାରିବେ।

ପୂର୍ବରୁ ସିଟି ସ୍କାନ ମେସିନ ନଥିବାରୁ ଏଠିକାର ଲୋକେ ଜିଲ୍ଲା ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିଲେ। ତେଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନର ବ୍ୟବସ୍ଥା କରିବା ପାଇଁ ଲୋକେ ବହୁ ଦିନରୁ ଦାବି କରି ଆସୁଥିଲେ । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନବ କିଶୋର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନ ଲୋକାର୍ପିତ କରିଛନ୍ତି।

ଏହି ମେସିନର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏହା ହେଉଛି ଝାରସୁଗୁଡା ନୂତନ ନିର୍ମାଣର ଏକ ଅଂଶ ବିଶେଷ  । ଖୁବ ଶୀଘ୍ର ଝାରସୁଗୁଡାରେ ହାର୍ଟ ହସ୍ପିଟାଲ ଓ କ୍ୟାନସର ହସ୍ପିଟାଲ ମଧ୍ୟ କାର୍ଯ୍ୟକ୍ଷମ ହେବ। ଝାରସୁଗୁଡା ତଥା ରାଜ୍ୟର ସମସ୍ତ ସ୍ଥାନରେ ଲୋକଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଚେଷ୍ଟିତ ଅଛନ୍ତି। ତାଙ୍କରି ପ୍ରାୟସରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ସୁଦୃଢ ହୋଇପାରିଛି। ରାଜ୍ୟରେ ଏବେ ନୂଆ ମେଡିକାଲ କଲେଜ ସ୍ଥାପନ କରାଯାଉଛି। ଆଗାମୀ ୨-୩ ବର୍ଷରେ ଓଡିଶା ଡାକ୍ତର ବଳକା ରାଜ୍ୟ ହେବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Back to top button