‘ରାଜପୁରର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯାଉ’

ଝାରସୁଗୁଡା: ରାଜୁପର ପଞ୍ଚାୟତରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। ଏବେ କିନ୍ତୁ ଏହାର ନବୀକରଣ କରାଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବରେ ତିଆରି କରିବାକୁ ଦାବି ହୋଇଛି। ସରକାର ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ବଦଳରେ ଏପରି କରିବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଜୁନରେ ବ୍ରଜରାଜନଗର ରାଜପୁରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ହସ୍ପିଟାଲ ପଞ୍ଚାୟତରୁ ତିନି କିଲୋମିଟର ଦୂରରେ ହେବ ବୋଲି ସ୍ଥିର ହୋଇଛି। ଯାହାକି ସ୍ଥାନୀୟ ବାସିନ୍ଦାଙ୍କୁ ଦୂର ହେବ। ତେଣୁ ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି କରିବା ପ୍ରତିବଦଳରେ ରାଜପୁରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ଦାବି ହୋଇଛି।
ରାଜପୁରର ସ୍ଥାନୀୟ ବାସିନ୍ଦା ଏ ନେଇ ଏକ ପ୍ରେସମିଟ୍ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନୂୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାବଦରେ ଘୋଷଣା କରିଛନ୍ତି। ଏଥିପାଇଁ ଆମେ କୃତଜ୍ଞତା ଜଣାଉଛୁ। ହେଲେ ନୂଆ ସ୍ଥାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତିଆରି କରିବା ବଦଳରେ ଯେଉଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ତାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦରକରା। ଯଦି ନୂଆ ସ୍ଥାନରେ ହସ୍ପିଟାଲ ତିଆରି ହେବ ତାହେଲେ ଲୋକେ ଅସୁବିଧାରେ ପଡ଼ିବେ ବୋଲି ମତ ରଖିଛନ୍ତି ସ୍ଥାନୀୟ ଲୋକେ।
ରାଜପୁର ପଞ୍ଚାୟତର ସରପଞ୍ଚ ଯତୀନ ଦେଓ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେତେବେଳେ ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେତେବେଳେ ଆମେ ଭାବିଥିଲୁ ରାଜପୁରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେବ। କିନ୍ତୁ ପରେ ଜଣାପଡ଼ିଥିଲା ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଞ୍ଚାୟତରୁ ତିନି କିଲୋମିଟର ଦୂରରେ ହେବ। ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ଅଡୁଆ ସୃଷ୍ଟି କରିବ। ହସ୍ପିଟାଲ ତିଆରି ପାଇଁ ଯେଉଁ ଜାଗା ଚିହ୍ନଟ ହୋଇଛି ତାହା ଆମ ପାଇଁ ଉପଯୋଗୀ ନୁହେଁ।
ତେବେ ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲ ତିଆରି ପାଇଁ 5 ଏକର ଜାଗା ଆବଶ୍ୟକ ରହିଛି। ବ୍ରଜରାଜନଗରରେ କିନ୍ତୁ ଏଭଳି ଜମି ନାହିଁ। ତେଣୁ ପାଖରେ ଏକ ସ୍ଥାନରେ ହସ୍ପିଟାଲ ତିଆରି କରିବାକୁ ସ୍ଥିର ହୋଇଥିବା ସୂଚନା ରହିଛି।