ବରଯାତ୍ରୀ ଆସିବା ପୂର୍ବରୁ ବନ୍ଦ ହେଲା ବାଲ୍ୟ ବିବାହ
ଝାରସୁଗୁଡା: ଏବେ କରୋନା ମହାମାରୀ ପାଇଁ ବିଭିନ୍ନ କଟକଣା ଜାରି ରହିଛି। ଆଉ ଏହାରି ଭିତରେ ଏକ ବାଲ୍ୟ ବିବାହ ହେବାକୁ ଯାଉଥିଲା। ଯାହାକି ବେଆଇନ୍। ଏବେ ଏହି ବିବାହ ବନ୍ଦ ହୋଇଯାଇଛି। ଚାଇଲଡ଼ ଲାଇନ, ପୋଲିସ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଉଦ୍ୟମରେ ଏହି ବାଲ୍ୟ ବିବାହ ବନ୍ଦ ହୋଇଛି। ଝାରସୁଗୁଡା ଜ଼ୀଲ୍ଲାର ଲୋଇସିଙ୍ଗ ପଂଚାୟତର ଗୋଟିଏ ଗାଁରେ ଏହି ବାଲ୍ୟ ବିବାହ ହେବାକୁ ଯାଉଥିବା ବେଳେ ପ୍ରଶାସନ ଆଗୁଆ ଯାଇ ନାବାଳିକାର ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ବିବାହ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ ସେମାନେ।
ବୁଧବାର ସନ୍ଧ୍ୟାରେ ବାଲ୍ୟ ବିବାହର ସୂଚନା ଚାଇଲଡ଼ ଲାଇନକୁ ଆସିଥିଲା। ଏହାପରେ ଚାଇଲଡ଼ଲାଇନର ଜିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏ ବିଷୟରେ ସିଡିପିଓଙ୍କୁ ଅବଗତ କରାଇଥିଲେ। ଆଉ ସଙ୍ଗେ ସଙ୍ଗେ ବ୍ରଜରାଜନଗର ଥାନାଧିକାରୀ ବୈକୁଣ୍ଠ ବିହାରୀ ସେଠକୁ ମଧ୍ୟ ବାଲ୍ୟ ବିବାହକୁ ରୋକିବା ପାଇଁ ଅନୁରୋଧ କରିଥିଲେ।
ଏହାପରେ ବୁଧବାର ରାତିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଶଶିଭୂଷଣ ପୋଢ଼ ଏବଂ ଲୋଇସିଂହ ସରପଞ୍ଚ ମଞ୍ଜୁଳତା ଵାଗ ନାବାଳିକାର ଘରକୁ ଯାଇ ବାଲ୍ୟବିବାହ ବନ୍ଦ କରିବା ପାଇଁ ବୁଝାଇଥିଲେ। ଆଉ ଗୁରୁବାର ପୁଣି ଚାଇଲଡ଼ ଲାଇନର ଜ଼ିଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ଗ୍ରାମାଞ୍ଚଳ ସୁପ୍ରଭା ମହାପାତ୍ର ସୁପ୍ପର ଭାଇଜର ବରୁଣୀ ସା ଚାଇଲଡ଼ ଲାଇନ ସଦସ୍ୟା ଟିକେଶ୍ୱରୀ ପଟେଲ ନାବାଳିକାଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ବୁଝାସୁଝା କରିଥିଲେ।
ଏହାପରେ ନାବାଳିକାର ପରିବାର ବର୍ଗ ଆଇନ ବିଷୟରେ ବୁଝି ସାରିଲା ପରେ ନାବାଳିକାର ବିବାହକୁ ବନ୍ଦ କରିବା ପାଇଁ ରାଜି ହେଇଥିଲେ ଏବଂ ନାବାଲିକାର ୧୮ ବର୍ଷ ପୂରଣ ହେଲେ ବିବାହ କରିବୁ ବୋଲି ରାଜିନାମା ପତ୍ର ଦାଖଲ କରିଥିଲେ। ନାବାଲିକା ର ବୟସ ୧୫ ବର୍ଷ ହୋଇଥିବା ବେଳେ ତାର ବିବାହ ସୁନ୍ଦରଗଡ଼ ଜ଼ୀଲ୍ଲାର ଏକ ୨୫ ବର୍ଷୀୟ ଯୁବକଙ୍କ ସହିତ ଠିକ ହୋଇଥିଲା। ଗୁରୁବାର ବରଯାତ୍ରୀ ଆସିବାକୁ ଥିବାବେଳେ ବାଲ୍ୟବିବାହକୁ ବନ୍ଦ କରାଯାଇଥିଲା।