?????

ନକଲି ହନୁମାନ ପଇସା ଦେଖାଇ ଠକେଇ, ୫ ଆନ୍ତଃ ଜିଲ୍ଲା ଠକ ଗିରଫ

ଝାରସୁଗୁଡା: ଜିଲ୍ଲା ପୋଲିସ ହନୁମାନ ପଇସାକୁ ନେଇ ଚଳାଇଥିବା ଏକ ରାକେଟକୁ ଗିରଫ କରିଛି । ଏହି ରାକେଟରେ ମୋଟ୍ ପାଞ୍ଚ ଜଣ ଥିଲେ। ଯେଉଁମାନେ କି ହନୁମାନ ଟଙ୍କା ଦେଲେ ଲକ୍ଷାଧିକ ଟଂକା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ୫ ଜଣିଆ ଆନ୍ତଃ ଜିଲ୍ଲା ଠକଙ୍କୁ ଝାରସୁଗୁଡା ପୋଲିସ ଗିରଫ କରିଛି। ଲୁଟେରାମାନଙ୍କ ଠାରୁ ଗୋଟିଏ ବାଇକ,କାର, ୫ଟି ମୋବାଇଲ, ଏଟିଏମ୍ କାର୍ଡ ଓ ଲକ୍ଷେ ଟଙ୍କା ଠକେଇରୁ ନବେ ହଜାର ଟଙ୍କା ପୋଲିସ ଜବତ କରିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ସନ୍ନି କୁମାର (୩୭), ଦଶରଥ ସୋରେଙ୍ଗ (୩୨), ମାଧବ ମିଞ୍ଜ (୩୨), ହସନ ଖାନ୍ (୪୪) ଏବଂ ଟିଙ୍କୁ ଜଉଡ (୩୨) । ହସନ ଖାନ୍ ସୁନ୍ଦରଗଡ ବାସିନ୍ଦା ହୋଇଥିବା ବେଳେ ଟିଙ୍କୁ ସମ୍ବଲପୁରର ବାସିନ୍ଦା ବୋଲି ଜଣାପଡ଼ିଛି।

ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର କହିଛନ୍ତି, ଅଗଷ୍ଟ ୨୭ରେ ଝାରସୁଗୁଡ଼ାରେ ଘରୋଇ ସିଭିଲ୍ ଠିକାଦାର ଭାବେ କାମ କରୁଥିବା ରବୀନ୍ଦ୍ର କୁମାର ଦାସ ନାମକ ଜଣେ ବ୍ୟକ୍ତି ଏକ ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ। କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ଏବଂ କହିଥିଲେ ଯେ ଏକ ହନୁମାନ ମୁଦ୍ରା ଅଛି । ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ବହୁତ ଅଧିକ । ଏହି ମୁଦ୍ରା ଲଇକେରା ବ୍ଲକରେ ଜଣଙ୍କ ପାଖରେ ଅଛି । ସେ ଏହାକୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ରାଜି ଅଛନ୍ତି। ପରେ ଏହି ହନୁମାନ କଏନକୁ ଅନ୍ତର୍ଜାତୀୟ ମାର୍କେଟରେ ବିକ୍ରି କରିଦେଲେ ପାଖାପାଖି ୬ ଲକ୍ଷ ଟଙ୍କା ମିଳିବ । ପରେ ଏହି ଲାଭକୁ ଭାଗ ବଣ୍ଟା କରି ନେବେ ବୋଲି ସଂପୃକ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିବା ରବୀନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ। ପରେ ସେହି ବ୍ୟକ୍ତିଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ରବୀନ୍ଦ୍ର ୧ ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ପରେ ସେହି କଏନ୍ କିଣିବା ପାଇଁ ସେମାନଙ୍କ ସହ ଯାଇଥିଲେ କିନ୍ତୁ ମଝିରେ ଗ୍ୟାଙ୍ଗର ସଦସ୍ୟମାନେ ତାଙ୍କ ଠାରୁ ଟଙ୍କା ଏବଂ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଚମ୍ପଟ ମାରିଥିଲେ। ଏହାପରେ ରବୀନ୍ଦ୍ର ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ।

ଏବେ ପୋଲିସ ଏହି ରାକେଟକୁ ଗିରଫ କରିବାରେ ସଫଳ ହୋଇଚି। ସେମାନଙ୍କ ନିକଟରୁ ୨ଟି ଡୁପ୍ଲିକେଟ୍ ହନୁମାନ କଏନ୍, ଗୋଟିଏ କାର୍, ଗୋଟିଏ ବାଇକ୍ ଏବଂ ୫ଟି ମୋବାଇଲ୍, ନଗଦ ୯୦ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ରାକେଟ୍ ସୁନ୍ଦରଗଡ଼, ସମ୍ବଲପୁର ଓ ସୋନପୁରରେ ସକ୍ରିୟ ଥିବା ପୋଲିସ ଜାଣିବାକୁ ପାଇଛି। ତେବେ ଏହି ଗ୍ୟାଙ୍ଗ କେତେ ଜଣଙ୍କୁ ଠକେଇ କରିଛନ୍ତି ତାର ଅନୁଧ୍ୟାନ କରୁଥିବା ପୋଲିସ କହିଛି। ତେବେ ଏପରି ହନୁମାନ ମୁଦ୍ରା ବେପାରଠୁ ଦୂରେଇ ରହିବାକୁ ପୋଲିସ ନିବେଦନ କରିଛି।

Related Articles

Leave a Reply

Back to top button
error: Content is protected !!