ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ଯୋଗାଇ ଦିଆଯିବ ଜମି: ମୁଖ୍ୟମନ୍ତ୍ରୀ
ଝାରସୁଗୁଡା: 70 ବର୍ଷ ତଳେ ହୀରାକୁଦ ନଦୀବନ୍ଧ ତିଆରି ହୋଇଥିଲା। ଏହି ସମୟରେ ଅନେକ ଗାଁ ଜଳ ସମାଧି ନେଇଥିଲେ। ଅନେକ ପରିବାର ଜମି, ଘର ଆଦି କେତେ କଣ ହରାଇଥିଲେ। ଏବେ ଦୀର୍ଘ 70 ବର୍ଷ ପରେ ସେହି ବିସ୍ଥାପିତ ପରିବାରଙ୍କୁ ଜମି ପଟ୍ଟା ଯୋଗାଇ ଦେବେ ସରକାର। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ନେଇ ଘୋଷଣା କରିବା ବେଳେ ନବୀନ ଏପରି ଘୋଷଣା କରିଛନ୍ତି। ଏହାଦ୍ୱାରା 2000 ବିସ୍ଥାପିତ ପରିବାର ଉପକୃତ ହେବେ ବୋଲି ଜଣାପଡିଛି।
ଜିଲ୍ଲାରେ ବିଏସକେ ସ୍ୱାସ୍ଥ୍ୟ କାର୍ଡ ବିତରଣର ହୋଇଛି। ଏହି ଯୋଜନାରେ ଜିଲ୍ଲାର ପ୍ରାୟ 1.15 ଲକ୍ଷ ଲୋକ ସରକାରଙ୍କ ସ୍ୱାସ୍ଥ୍ୟସେବା ଦ୍ୱାରା ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 144 କୋଟି ଟଙ୍କା ମୂଲ୍ୟର ଅନେକ କଲ୍ୟାଣମୂଳକ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ 153 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଝାରସୁଗୁଡା ଏବଂ ବ୍ରଜରାଜନଗର ପାଇଁ ଦୁଇଟି ଜଳ ବିଶୋଧନାଗାର ଉଦ୍ଘାଟନ କରାଯାଇଥିଲା। ଝାରସୁଗୁଡା ଜିଲ୍ଲାର ସମସ୍ତ ଗାଁ ଲୋକଙ୍କୁ ସ୍ୱଚ୍ଛ ତଥା ପାନୀୟ ଜଳ ସୁବିଧା ଯୋଗାଇବା ପାଇଁ 618 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏହି ପ୍ରକଳ୍ପ ଦ୍ୱାରା 1.22 ଲକ୍ଷ ପରିବାର ଉପକୃତ ହେବେ। ଏହି ପ୍ରକଳ୍ପକୁ ଜୁନ୍ 2022 ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି 100 ବେଡ୍ ବିଶିଷ୍ଟ ହୃଦ୍ରୋଗ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହେବ ବୋଲି ଆଶା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ହସ୍ପିଟାଲର ମୋଟ୍ ବେଡର 50 ପ୍ରତିଶତ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ସୁବିଧା ରହିବ। ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସଙ୍କ ସମେତ ଅନେକ ବିଜେଡି ନେତା ଉପସ୍ଥିତ ଥିଲେ।