ମାଛଧରା ନିଷିଦ୍ଧାଞ୍ଚଳ ନିମନ୍ତେ ସତର୍କ ସୂଚନା ପ୍ରଦାନ ପାଇଁ ମୋବାଇଲ ଆପର ଲୋକର୍ପଣ
ଭୁବନେଶ୍ୱର: ଏମ ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏକ ଉନ୍ନତ ପ୍ରଯୁକ୍ତିବିଦ୍ୟାଯୁକ୍ତ ” ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ ” ବା ” ଏଫ ଏଫ ଏମ ଏ ” ବିକଶିତ କରିଛନ୍ତି ।
ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ଼ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା କୁ ସୁରକ୍ଷିତ ରଖୁବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେ ପ୍ରବେଶ ଜନିତ ସତର୍କ ସୂଚନା ପ୍ରଦାନକରିବ ଏହି ମୋବାଇଲ ଆପ୍ । ଏହି ଅଫ ଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀମାନେ ଏବଂ ମାଛ ଧରା ଡଙ୍ଗାରେ ନିଯୁକ୍ତ ନାବିକ / ବ୍ୟକ୍ତିମାନେ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସମ୍ବଦ୍ଧରେ ଜାଣିପାରିବେ ।
ଏହି ମୋବାଇଲ ଆପ୍ଲିକେସନ ଲୋକାର୍ପଣ ଅବସରରେ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁଆର ସାହୁ ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ ଯେ, ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ – ଲାଇନ ରେ ଏହା କାର୍ଯ୍ୟକ୍ଷମ ରହିବ । ଏହାଦ୍ଵାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଠାରୁ ଦୂରରେ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍ ରୁ ସତର୍କ ସୂଚନା ମିଳିପାରିବ।
ପ୍ରତିବର୍ଷ ଏହି ବିରଳ ଅଲିଭ ରିଡ଼ଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ ଦୁରରୁ ଧାମରା , ଦେବୀନଦୀ , ଋଷିକୁଲ୍ୟ ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୁହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି । ଏହା ବ୍ୟତିତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା , ମାଛଧରା ସ୍ଥଳ ନିରୂପଣ , ସାମୁଦ୍ରିକ ଅବସ୍ଥିତି ସୂଚନା , ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର ( INCOIS ) ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ ହେବ ।
ଏହାଦ୍ୱାରା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ । ଏହି ବିନାମୂଲ୍ୟରେ ଉପଲବ୍ଧ ମୋବାଇଲ ଆପ୍ଲିକେସନ ଦ୍ବାରା ବିଭିନ୍ନ ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ର ରୁ ମାଛଧରା କାର୍ଯ୍ୟରେ ନିଯୋଜିତ ୨୨୦୦୦ ଟ୍ରଲର , ଯନ୍ତ୍ରାଚାଳିତ ଡଙ୍ଗା ଓ ଅଣଯାନ୍ତ୍ରିକ ଡଙ୍ଗାରେ ସମ୍ପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ ବୋଲି କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।