ଝାରସୁଗୁଡାରେ ‘ଭାରତ ବନ୍ଦ’, ‘ଆଗକୁ ଆନ୍ଦୋଳନ ଜୋରଦାର ହେବ’
ଝାରସୁଗୁଡା: ଭାରତ ବନ୍ଦ ଡାକରାକୁ ସମର୍ଥନ କରି ଝାରସୁଗୁଡାରେ ଆଜି ଦୋକାନ ବଜାର ବନ୍ଦ ରହିଥିଲା। ଆଜି ସକାଳ 6ଟାରୁ ଅପରାହ୍ନ 4ଟା ଯାଏ ସରକାରୀ ଅଫିସ ଏବଂ ବସ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍ ଏବଂ ଦରଦାମ ବୃଦ୍ଧିକୁ ବିରୋଧ କରି ଆଜି ସାରା ଦେଶରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ବନ୍ଦ ଡାକରା ଦେଇଥିଲା। ଯାହାକୁ ବିରୋଧୀ କଂଗ୍ରେସ ସମେତ ଅନେକ ରାଜନୀତିକ ଦଳ ସମର୍ଥନ କରିଥିଲେ।
ଝାରସୁଗୁଡା ସହରରେ ମଧ୍ୟ କଂଗ୍ରେସ କର୍ମୀ ଏବଂ ସି.ଆଇ.ଟି.ୟୁ ଜିଲ୍ଲା କମିଟି ବନ୍ଦକୁ ସଫଳ କରାଇଛି ବୋଲି ଦାବି କରିଛି । ଜିଲ୍ଲା କଂଗ୍ରେସ ସଭାପତି ଭାରତ ଅଓ୍ୱସ୍ତି କହିଛନ୍ତି, 10 ମାସ ହେବ ଚାଷୀ ଆନ୍ଦୋଳନରେ । ହେଲେ ଏବି ହିଟଲର ସରକାର ଚାଷୀଙ୍କ ଆନ୍ଦୋଳନକୁ ଶୁଣୁ ନାହାନ୍ତି । ତେଣୁ ବାଧ୍ୟ ହୋଇ ଚାଷୀ ସଂଗଠନ ଏହି ବନ୍ଦ ଡାକରା ଦେଇଛି । ଦେଶରେ ଏବେ ତାନାଶାହି ସରକାର ଚାଲିଛି । ଆଗାମୀ ଦିନରେ ଏହି ତାନାଶାହି ସରକାର ଚାଲିବନି । କେନ୍ଦ୍ର ସରକାର ହମାରେ ଦୋ, ହମାରା ଦୋ ନୀତିରେ ଚାଲିଛି । ଦେଶରେ ଦରଦାମ ବୃଦ୍ଧି ସହିତ ବେରୋଜଗାମୀ ବୃଦ୍ଧି ପାଇଛି। ହେଲେ ସରକାର ଶୁଣୁ ନାହାନ୍ତି ବୋଲି ଭାରତ ଅଓ୍ୱସ୍ତି କହିଛନ୍ତି। ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସେ କହିଛନ୍ତି।
ସେହିପରି ଚାଷୀ ନେତା ସୁରେନ୍ଦ୍ର ସାହୁ କହିଛନ୍ତି, 10 ମାସ ହେବ କୃଷକ ମାନେ ଦିଲ୍ଲୀ ଦରବାରରେ ବସିଛନ୍ତି । ଚାଷୀଙ୍କ ଦାବିକୁ ଏ ସରକାର ଶୁଣୁ ନାହାନ୍ତି । ଦେଶରେ ଏବେ ବ୍ୟକ୍ତି କେନ୍ଦ୍ରୀକ ରାଜନୀତି ଚାଲିଛି । ଦେଶରେ ଗଣତନ୍ତ୍ର ନାହିଁ । ଏ ସରକାର ଆଦାନୀ ଏବଂ ଅମ୍ବାନୀଙ୍କ ହିସାବରେ ଚାଲୁଛି ବୋଲି ସେ କହିଛନ୍ତି ।