ଝାରସୁଗୁଡା ହେବା ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର: ମନ୍ତ୍ରୀ

ଝାରସୁଗୁଡା: ରବିବାର ଏବଂ ସୋମବାର ଦୁଇ ଦିନିଆ ଝାରସୁଗୁଡା ଗସ୍ତରେ ଆସିଥିଲେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସେ ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲି ଦେଖିଥିଲେ। ଲଖନପୁର ବ୍ଲକର ଐତିହାସିକ ଗୁଜାପାହଡ, ଶୈବପୀଠ କୋଇଲି ଘୁଘୋର, ହୀରାକୁଦ ଜଳଭଣ୍ଡାର ପାଦଦେଶରେ ଥିବା ରମ୍ପାଲୁଗା ପିକନିକ୍ ସ୍ଥଳ, ବ୍ରଜରାଜନଗର ଇବ୍ ନଦୀ କୂଳରେ ଥିବା ରାମଚଣ୍ଡୀ ମନ୍ଦିର ଆଦି ବୁଲି ଦେଖିଥିଲେ।
ଏହି ସମୟରେ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସେ ଏହି ଅବସରରେ କହିଥିଲେ, ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳ ଓ ଅପେକ୍ଷାରେ ଥିବା ସ୍ଥଳଗୁଡ଼ିକୁ ଓଡ଼ିଶା ମାନଚିତ୍ରରେ ସ୍ଥାନ ଦେବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏହାର ବିକାଶ କରି ଝାରସୁଗୁଡା ଜିଲ୍ଲାକୁ ପର୍ଯ୍ୟଟନ ସ୍ଥଳର ପ୍ରମୁଖ ଜିଲ୍ଲା କରାଯିବ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ସାଙ୍ଗରେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି, ଜିଲ୍ଲାର ସରକାରୀ ଅଧିକାରୀ ପ୍ରମୁଖ ସାଙ୍ଗରେ ଥିଲେ।