ବଲିଉଡ ହିରୋଙ୍କୁ ଭେଟିବାକୁ ଘରୁ ଲୁଚି ପଳାଇଥିବା ଛାତ୍ର ମୁମ୍ୱାଇରୁ ଉଦ୍ଧାର
ସୁନ୍ଦରଗଡ଼:ସିନେ ପରଦାରେ ଦେଖୁଥିବା କଳାକାରଙ୍କୁ ପ୍ରାୟତଃ କେହି କେହି ସାମ୍ନାସାମ୍ନୀ ଭେଟିବା ପାଇଁ ଅନେକ ଇଚ୍ଛା ରଖିଥାନ୍ତି। ଏଭଳି କିଛି ଆଶା ରଖି ସୁନ୍ଦରଗଡ଼ର ଜଣେ ସ୍କୁଲ ଛାତ୍ର ଘରୁ ଲୁଚି ପଳାଇଥିଲା ମୁମ୍ୱାଇକୁ। ଏବେ ସେ ମୁମ୍ୱାଇରୁ ଉଦ୍ଧାର ହୋଇଛନ୍ତି। କିନ୍ତୁ ଅକ୍ଷୟ କୁମାରଙ୍କୁ ଭେଟିବା ସ୍ୱପ୍ନ ତାଙ୍କର ପୂରଣ ହୋଇପାରିନି।
ସୁନ୍ଦରଗଡ଼ର ଏହି ଛୋଟ ପିଲାଟି ଅନ ଲାଇନରେ ପାଠ ପଢ଼ିବ ବୋଲି ପରିବାର ଲୋକେ ଗୋଟିଏ ମୋବାଇଲ କିଣି ଦେଇଥିଲେ। କିନ୍ତୁ ଏହି ପିଲାଟି ମୋବାଇଲକୁ ବିକ୍ରି କରି ଦେଇ ଅକ୍ଷୟ କୁମାରଙ୍କୁ ଦେଖା କରିବାକୁ ଟ୍ରେନ ଯୋଗେ ମୁମ୍ୱାଇ ପଳାଇ ଯାଇଥିଲା। ତେବେ ଅକ୍ଷୟ କୁମାରଙ୍କ ଘର ଆଗରେ କାନ୍ଦୁଥିବା ବେଳେ ଅକ୍ଷୟଙ୍କ ସୁରକ୍ଷା କର୍ମୀ ତାଙ୍କୁ ଦେଖିବାକୁ ପାଇଥିଲେ। ପରେ ଏହି ପିଲାଟି ପାଖରୁ ତାର ଜଣେ ଶିକ୍ଷକ ଅଞ୍ଜନା ଦାସଙ୍କ ନମ୍ୱରକୁ ଯୋଗାଯୋଗ କରି ସମସ୍ତ କଥା ଜଣାଇଥିଲେ। ଏବଂ ପିଲାଟି ତାଙ୍କ ପାଖରେ ଅଛି ବୋଲି ସେ ଅବଗତ କରାଇଥିଲେ। ଏହା ପରେ ଶିକ୍ଷକ ଜଣଙ୍କ ପିଲାଟିର ପରିବାର ଲୋକଙ୍କୁ ଅବଗତ କରାଇ ଭିଡିଓ କଲିଂରେ କଥା ହୋଇଥିଲେ।
ଏହାରି ଭିତରେ କିନ୍ତୁ ପରିବାର ଲୋକେ ପିଲାଟି ଘରୁ ସ୍କୁଲକୁ ଯାଇ ନଫେରିବା ପରେ ଟାଉନଥାନାରେ ଏତଲା ଦେଇ ସାରିଥିଲେ। ପୁଲିସ ମଧ୍ୟ ଖୋଜାଖୋଜି କରି ବିଫଳ ହୋଇଥିଲା। ହେଲେ ପରିବାର ଲୋକେ ତାଙ୍କ ହଜିଲା ପୁଅ ବାବଦରେ ଥାନାକୁ ସମସ୍ତ ସୂଚନା ଦେଇଥିଲେ। ଏହାପରେ ଥାନାଧିକାରୀ ମୁମ୍ୱାଇର ଅକ୍ଷୟ କୁମାରଙ୍କ ସୁରକ୍ଷାକର୍ମୀ ଓ ଶିଶୁ ସୁରକ୍ଷା ଆୟୋଗ ସହିତ କଥା ହୋଇଥିଲେ। ଏହାପରେ ଟାଉନ ଥାନାର ଏକ ଟିମ୍ ଯାଇ ସେହି ଛୋଟ ଛୁଆକୁ ଉଦ୍ଧାର କରିଥିବା ସୂଚନା ରହିଛି।