ଚାରି ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅଲିମ୍ପିକ୍ସରେ ଭାଗ ନେଇଥିବା ଚାରି ଓଡ଼ିଆ ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୁଷ ହକି ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଡିଏସପି ଭାବେ ନିଯୁକ୍ତ କରାଯିବା ସହ ଅଢ଼େଇ କୋଟି ଲେଖାଏଁ ଓ ମହିଳା ହକି ଦଳର ସଦସ୍ୟ ଦୀପ ଗ୍ରେସ ଏକକା ଏବଂ ନମିତା ଟୋପେଙ୍କୁ 50 ଲକ୍ଷ ଟଙ୍କା ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର। ଏହି ଚାରି ଖେଳାଳି ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଥିଲେ।
ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚାରି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବା ପରେ ଏହି ହକି ଅଲିମ୍ପିଆନମାନଙ୍କୁ ସ୍ୱାଗତ କରାଯାଇଥିଲା। ଖେଳାଳିମାନଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ବିଭାଗୀୟ ସଚିବ ଆର ଭିନେଲ କ୍ରିଷ୍ନା ସ୍ୱାଗତ କରିଥିଲେ।
ଭାରତୀୟ ପୁରୁଷ ହକି ଦଳ 41 ବର୍ଷ ବ୍ୟବଧାନ ପରେ ଏକ ଅଲିମ୍ପିକ୍ ପଦକ ହାସଲ କରିଛି। ଜର୍ମାନୀକୁ 5-4ରେ ପରାସ୍ତ କରି ଏକ ବ୍ରୋଞ୍ଜ ପଦ ହାତେଇବାରେ ସକ୍ଷମ ହୋଇଛି ଭାରତ।
ସେହିପରି ମହିଳା ଦଳ ମଧ୍ୟ ଇତିହାସ ସୃଷ୍ଟି କରି ପ୍ରଥମ ଥର ପାଇଁ ଏହି ସର୍ବ ବୃହତ କ୍ରୀଡା ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଥିଲା। ହେଲେ ବ୍ରୋଞ୍ଜ ପାଇଁ ହୋଇଥିବା ପ୍ଲେ ଅଫ ମ୍ୟାଚରେ ଭାରତ ଗ୍ରେଟ ବ୍ରିଟେନ ପାଖରୁ ହାରିଥିଲା।