ପିଲା ବିକ୍ରିର ହବ୍ ପାଲଟିଛି ପଶ୍ଚିମ ଓଡ଼ିଶାର ଏହି ସ୍ଥାନ
ରାଉରକେଲା: ରାଉରକେଲାରୁ ବାହାର ରାଜ୍ୟକୁ ବିକ୍ରି ହେଉଛି ପିଲା। ଜିଲ୍ଲା ପୁଲିସ ଏହି ମାମଲାରେ ଖୋଳତାଡ କରି ଏଯାବତ 7 ଜଣଙ୍କୁ ଗିରଫ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି। ଗିରଫ 7 ଜଣଙ୍କ ମଧ୍ୟରେ 2 ଜଣ ମହିଳା ରହିଥିବା ସୂଚନା ରହିଛି। ଜେରା ବେଳେ ପୁଲିସ ଆଗରେ ଅଭିଯୁକ୍ତ ଏହି ପିଲା ବିକ୍ରି ରାକେଟର ଅନେକ ଗୁମର କଥା ବଖାଣିଥିବା ସୂଚନା ରହିଛି।
ଏହି ରାକେଟରେ ଆଠ ଜଣ ରହିଛନ୍ତି। ମୋଟ୍ 7 ଗିରଫ ହୋଇଥିବା ବେଳେ ଆଉ ଜଣେ ଏବେ ବି ନିଖୋଜ ରହିଛି। ଏହି ରାକେଟ ମୁଖ୍ୟତଃ ରାଉରକେଲା ଅଞ୍ଚଳରେ ସକ୍ରିୟ ଥିଲେ। ରାଜ୍ୟ ବାହାରକୁ ଏମାନେ ଛୋଟ ଛୁଆ ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି। ମୁଖ୍ୟତଃ ଏହି ରାକେଟ ଝାଡଖଣ୍ଡକୁ ଅଧିକ ଛୋଟ ପିଲାଙ୍କୁ ବିକ୍ରି କରିଛି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସ୍ଥିତ ପୁଲିସ ସୋମବାର ଅତର୍କିତ ଭାବରେ ଏହି ରାକେଟ ଉପରେ ଚଢ଼ାଉ କରିଥିଲା। ଗିରଫ ବ୍ୟକ୍ତିଙ୍କ ପାଖରୁ ଅନେକ ମୋବାଇଲ୍ ଫୋନ୍ ଜବତ ହୋଇଛି। ମୋବାଇଲ ଜରିଆରେ ଅଭିଯୁକ୍ତମାନେ କେଉଁ କେଉଁ ଲୋକଙ୍କୁ ଯୋଗାଯୋଗ କରୁଥିଲେ ସେ ନେଇ ସବିଶେଷ ତଥ୍ୟ ଯାଞ୍ଚ କରୁଛି। ଏଥିସହ କେଉଁ ବ୍ୟକ୍ତି ବଳରେ ଏମାନେ ରାଉରକେଲା ଭଳିଆ ଜାଗାରେ ସକ୍ରିୟ ରହିଥିଲେ ତାର ଖୋଳତାଡ ମଧ୍ୟ ପୁଲିସ କରୁଥିବା ଆଡିସନାଲ ଏସପି ବିକ୍ରମ କେଶରୀ ଭୋଇ କହିଛନ୍ତି। ଜବତ ମୋବାଇଲରୁ ଅନେକ ନବଜାତ ଶିଶୁଙ୍କ ଫଟୋ ଥିବା ଦେଖିବାକୁ ମିଳିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଆଠ ବର୍ଷରୁ କମ୍ ପିଲାମାନଙ୍କୁ ଅପହରଣ ପାଇଁ ବ୍ୟବହୃତ ଆଇପିସି ଗିରଫ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ କରାଯାଇଥିବା ସେ କହିଛନ୍ତି।