ପରଲୋକରେ ‘ଫ୍ଲାଇଙ୍ଗ ଶିଖ’, ଦେଶ ପାଇଁ ଅପୁରଣୀୟ କ୍ଷତି
ନୂୂଆଦିଲ୍ଲୀ: 91 ବର୍ଷ ବୟସ୍କ ଭେଟେରାନ ଭାରତୀୟ ଆଥଲେଟ୍ ମିଲଖା ସିଂହଙ୍କର ଦେହାନ୍ତ ହୋଇଛି। କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଶୋକ ପ୍ରକାଶ କରି କହିଛନ୍ତି ଯେ ଦେଶ ଜଣେ ମହାନ କ୍ରୀଡ଼ାବିତଙ୍କୁ ହରାଇଛି। ମୋଦି ଟ୍ୱିଟ୍ କରି କହିଛନ୍ତି, ମିଲଖା ସିଂଙ୍କ ଦେହାନ୍ତରେ ଆମେ ଜଣେ ମହାନ କ୍ରୀଡ଼ାବିତଙ୍କୁ ହରାଇଛୁ। ତାଙ୍କ ମୃତ୍ୟୁରେ ସେ ଦୁଃଖିତ। ମିଲଖାଙ୍କ ପରିବାର ଏବଂ ତାଙ୍କର ପ୍ରଶଂସକଙ୍କୁ ସେ ସମବେଦନା ଜଣାଇଛନ୍ତି।
କିମ୍ବଦନ୍ତୀ ଧାବକ ଫ୍ଲାଇଂ ଶିଖ୍ ମିଲଖା ସିଂହ ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମାସେ ହେବ ସେ କୋଭିଡ ସହ ଲଢ଼େଇ କରୁଥିଲେ। ବୁଧବାର ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଜାରି ରହିଥିଲା। ତେଣୁ ସେ ହସ୍ପିଟାଲର ଆଇସିୟୁରୁ ଜେନେରାଲ ଓ୍ୱାର୍ଡକୁ କେବଳ ସ୍ଥାନାନ୍ତର ହୋଇଥିଲେ।
ମିଲଖା ସିଂହ ଚଣ୍ଡିଗଡ଼ର PGIMER ହସ୍ପିଟାଲରରେ ଚିକିତ୍ସାଧୀନ ଥିଲେ। ‘ଫ୍ଲାଇଙ୍ଗ ଶିଖ’ ନାମରେ ମଧ୍ୟ ଜଣାଶୁଣା ଏହି ପୂର୍ବତନ ଆଥଲେଟ। ମିଲଖା ଏସିଆନ ଗେମ୍ସର ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ 1958 କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। 1960 ରୋମ ଅଲିମ୍ପିକ୍ସର 400 ମିଟର ଫାଇନାଲରେ ନିଜର ଦୌଡ ପାଇଁ ସେ ସର୍ବଦା ସ୍ମରଣୀୟ। ସେ 1956 ଏବଂ 1964 ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଏବଂ 1959 ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ।
ଜୁନ୍ 13 ରେ, ମିଲଖାଙ୍କ ପତ୍ନୀ ନିର୍ମଳ କୌର ମଧ୍ୟ କୋଭିଡରେ ମୃତ୍ୟୁ ବରଣ କରିଥିଲେ। ମିଲଖାଙ୍କର ତିନି ଝିଅ ଡକ୍ଟର ମୋନା ସିଂ, ଆଲିଜା ଗ୍ରୋଭର, ସୋନିଆ ସାନୱାଲ୍କା ଏବଂ ପୁଅ ଜୀଭ ମିଲଖା ସିଂ ଅଛନ୍ତି। 14 ଥର ଆନ୍ତର୍ଜାତୀୟ ଚାମ୍ପିଅନ୍ ହୋଇଥିବା ଗୋଲ୍ଫର୍ ଜୀଭ୍ ମଧ୍ୟ ତାଙ୍କ ବାପାଙ୍କ ପରି ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି।