ରଘୁନାଥଙ୍କ ତିନି ପୁଅରୁ ଦୁଇ ପୁଅ ଆରପାରିରେ, ଅନ୍ୟଜଣେ ଗୁରୁତର

ଭୁବନେଶ୍ୱର: କରୋନାରେ ଚାଲିଗଲେ ସ୍ୱର୍ଗତ ପଥର ବିନ୍ଧାଣୀ ରଘୁନାଥ ମହାପାତ୍ରଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ର। ମେ 9ରେ ରଘୁନାଥଙ୍କର ପରଲୋକ ଘଟିଥଲା। ଆଉ ଏବେ 10 ଦିନ ପରେ ପ୍ରଶାନ୍ତଙ୍କର ବିୟୋଗ ହୋଇଛି। ଉଭୟ କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏନେଇ ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ପ୍ରଶାନ୍ତଙ୍କର କରୋନା ନେଗେଟିଭ ରିପୋର୍ଟ ଆସିଥିଲା। ଆଉ ସ୍ୱାସ୍ଥ୍ୟାବସ୍ଥାରେ ବି ସୁଧାର ଆସିଥିଲା। କିନ୍ତୁ ଅଦୃଶ୍ୟ ଭାଇରସର ଛାୟା ଯାଇନଥିଲା ପରିଣାମସ୍ୱରୂପ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ବୁଧବାର 7ଟା 51ରେ ତାଙ୍କର ଦେହାନ୍ତ ହୋଇଛି।
ମୃତ୍ୟୁ ବେଳକୁ ପ୍ରଶାନ୍ତ ମହାପାତ୍ରଙ୍କ ବୟସ 47 ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସପ୍ତାହକ ଭିତରେ ପରିବାରର ଦୁଇ ଜଣଙ୍କର ବିୟୋଗ ରଘୁନାଥଙ୍କ ପରିବାରକୁ ଶକ୍ତ ଝଟକା ଦେଇଛି। ଖାଲି ଏତିକି ନୁହେଁ ରଘୁନାଥଙ୍କ ତିନି ପୁଅ ମଧ୍ୟରେ ଏବେ ଜଣେ ଅଛନ୍ତି। ଆଉ ସେ ବି କରୋନାରେ ସଂକ୍ରମିତ ହୋଇ ଏମ୍ସରେ ଗୁରୁତର ଭାବରେ ଚିକିତ୍ସାଧୀନ ଥିବା ସୂଚନା ରହିଛି। ପୂର୍ବରୁ ଜଣେ ପୁଅଙ୍କର ଦେହାନ୍ତ ହୋଇସାରିଛି। ସ୍ଥିତି ଏମିତି ଯେ ଏହି ଅଦୃଶ୍ୟ ଭାଇରସ ଆଗରେ ଠାକୁର ବି ଯେମିତି ନାଚାର।
ରଘୁନାଥଙ୍କ ସାନ ପୁଅ ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ କ୍ରିକେଟର ଥିଲେ। ବିସିସିଆଇ ରେଫରୀ ଭାବରେ ମଧ୍ୟ ସେ ଅନେକ ମ୍ୟାଚକୁ ପରିଚାଳନ କରିଛନ୍ତି। ପ୍ରଶାନ୍ତ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେ ଆଖିବୁଜି ଦେଇଛନ୍ତି।