?????

ପଞ୍ଚାୟତସ୍ତରରେ ମହାମାରୀ ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ମହାମାରୀ ଗୁରୁତର ଆକାର ଧାରଣ କରିଛି । ସହରାଞ୍ଚଳ ସମେତ ଦେଶର ଗ୍ରାମାଞ୍ଚଳ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବା ସହିତ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ ପଞ୍ଚାୟତରାଜ ମନ୍ତ୍ରଣାଳୟ ତତ୍ପରତା ପ୍ରକାଶ କରିଛି । ଗ୍ରାମାଞ୍ଚଳରେ ଲୋକମାନେ ଅଧିକ ସଂକ୍ରମଣ ପ୍ରବଣ ହୋଇଥିବାରୁ ସେମାନଙ୍କୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ପଞ୍ଚାୟସ୍ତରରେ ଏହାର ମୁକାବିଲା କରାଯିବ । ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ତଦନୁସାରେ ରାଜ୍ୟ ସରକାରମାନେ ପଂଚାୟତସ୍ତରରେ ଗ୍ରାମାଞ୍ଚଳରେ ମହାମାରୀ ରୋକିବା ପାଇଁ କାର୍ଯ୍ୟ କରିବେ ।

ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି ସହିତ କୋଭିଡର ମୁକାବିଲା ପାଇଁ ମୌଳିକ ଭିତ୍ତିଭୂମି ଓ ସହାୟକ ବ୍ୟବସ୍ଥା ରାଜ୍ୟ ସରକାରମାନେ କରିବେ । ଏହି କାମରେ ପଞ୍ଚାୟତର ନିର୍ବାଚନ ପ୍ରତିନିଧିଗଣ ଏବଂ ଲୋକାଲବଡିଗୁଡିକର ଲୋକ ପ୍ରତିନିଧି ସମ୍ପୃକ୍ତ ହେବେ । ଏଥିପାଇଁ ଗ୍ରାମ ବା ପଞ୍ଚାୟତ ସ୍ତରରେ ନେତୃତ୍ୱ ନିର୍ମାଣକୁ ଗୁରୁତ୍ୱ ଦିଆଯିବ । ସେମାନେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ । ଏହି କାର୍ଯ୍ୟ ପାଇଁ ଅର୍ଥର ଆବଶ୍ୟକତା ରହିଥିବାରୁ ପଞ୍ଚଚାୟତିରାଜ ମନ୍ତ୍ରଣାଳୟର ସୁପାରିସକ୍ରମେ ଅର୍ଥମନ୍ତ୍ରଣାଳୟ ଦେଶର ୨୫ଟି ରାଜ୍ୟ ପାଇଁ ୮୯୨୩ ଦଶମିକ ୮କୋଟି ଟଙ୍କା ପ୍ରଦାନ କରିଛନ୍ତି । ସମ୍ପୃକ୍ତ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଅର୍ଥକୁ ନିଜ ନିଜର ପଞ୍ଚାୟତିରାଜ ଅନୁଷ୍ଠାନକୁ ଅନୁଦାନ ଆକାରରେ ଯୋଗାଇଦେବେ । ସବୁ ପଞ୍ଚାୟତ ଏହି ଅନୁଦାନ ଅର୍ଥକୁ କେବଳ ମହାମାରୀର ମୁକାବିଲା କାର୍ଯ୍ୟରେ ବିନିଯୋଗ କରିବେ ।

ମହାମାରୀ ସମ୍ପର୍କରେ ଜନସଚେତନତା ସୃଷ୍ଟି, ଲୋକଙ୍କୁ କୋଭିଡ ନିୟମର ପରିପାଳନ ଓ ଅନ୍ୟାନ୍ୟ ସତର୍କତା ସମ୍ପର୍କରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ନିର୍ବାଚିତ ପଞ୍ଚାୟତ ଲୋକପ୍ରତିନିଧି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଆଶାକର୍ମୀ ଆଦି ଅବଗତ କରାଇବେ । ଫିଙ୍ଗର ଅକ୍ସିମିଟର, ଏନ-୯୫ମାସ୍କ ଓ ଇନ୍‌ଫାରେଟେଡ୍ ଥର୍ମାଲ ସ୍କାନିଙ୍ଗ ଯନ୍ତ୍ର ଓ ସାନିଟାଇଜର ଆଦି କିଣିବା ପାଇଁ ପଞ୍ଚାୟତ ଏହି ଅର୍ଥ ଖର୍ଚ୍ଚ କରିପାରିବ ।ଆହୁରି ମଧ୍ୟ ଚିକିତ୍ସା ବ୍ୟବସ୍ଥା, ହସ୍‌ପିଟାଲ ଓ ଶଯ୍ୟାର ଉପଲବ୍ଧତା, ସ୍ୱତନ୍ତ୍ର ଚିକିତ୍ସା ସୁବିଧା ସଂକ୍ରାନ୍ତ ତଥ୍ୟାବଳୀ ପଞ୍ଚାୟତ ପକ୍ଷରୁ ଏକ ଡିସ୍‌ପ୍ଲେ ବୋର୍ଡରେ ପ୍ରଦର୍ଶନ କରାଯିବ ଏବଂ ଲୋକଙ୍କୁ ସୂଚନା ଦିଆଯିବ । ଆବଶ୍ୟକସ୍ଥଳେ ଆକ୍ରାନ୍ତଙ୍କ ପରୀକ୍ଷା ଓ ଚିକିତ୍ସା ପାଇଁ  ବ୍ଲକ, ଜିଲ୍ଲା ଓ ଅନ୍ୟାନ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବାରେ ବ୍ୟବସ୍ଥା କରାଯିବ । ବିଭିନ୍ନ ୱାର୍ଡରେ ପଞ୍ଚାୟତି ପ୍ରତିନିଧିମାନେ ଆତ୍ମଘୋଷିତ ଲକ୍‌ଡାଉନ ବା ତାଲାବନ୍ଦ ଘୋଷଣା କରିବା ସହ ଲୋକଙ୍କ ଅଭାବ ଅସୁବିଧା ବୁଝିବେ । ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥା ରାଜ୍ୟ  ସରକାର ନିଶ୍ଚିତ କରିବେ । ପଞ୍ଚାୟତ ସ୍ତରରେ ଏହି ମହାମାରୀ ନିୟନ୍ତ୍ରଣ କାର୍ଯ୍ୟ କିପରି ଚାଲୁଛି ରାଜ୍ୟ ସରକାର ତାହାର ବିଧିବଦ୍ଧ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Leave a Reply

Back to top button
error: Content is protected !!