ଓଡ଼ିଶାରେ ପ୍ରଥମ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ, କେମିତି ସୃଷ୍ଟି ହେଲା କହିଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର: ଓଡିଶାରେ ‘ବ୍ଲାକ୍ ଫଙ୍ଗସ୍’ ମାମଲା ସାମ୍ନାକୁ ଆସିଛି। ଏବେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ତେବେ ଏହି ଫଙ୍ଗସ ଡାକ୍ତରଖାନାରୁ ହୋଇନାହିଁ। ଆକ୍ରାନ୍ତ ଜଣଙ୍କ କୋଭିଡରେ ଆକ୍ରାନ୍ତ ହେବା ପରେ ଘରେ ସଂଘରୋଧରେ ଥିଲେ। ହେଲେ ଘରେ ଥିବା କୁଲରରେ ସଂରକ୍ଷିତ ଥିବା ପାଣିରୁ ଏହି ‘ବ୍ଲାକ୍ ଫଙ୍ଗସ୍’ ତିଆରି ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱାସ୍ଥ୍ୟ ବିଭାଗର ସଚିବ ପି.କେ ମହାପାତ୍ର କହିଛନ୍ତି। ଏହି ଫଙ୍ଗସ ସାଧରଣତଃ ଆର୍ଦ୍ର ପୃଷ୍ଠ ଭୂମିରେ ତିଆରି ହୁଏ।
ଆକ୍ରାନ୍ତଙ୍କ ବୟସ 71 ବର୍ଷ ବୋଲି ଜଣାପଡ଼ିଛି। ଏବେ ସେ ଘରେ ଅଲଗା ଅଛନ୍ତି। ସେ ଏପ୍ରିଲ୍ 20 ରେ କରୋନାରେ ସଂକ୍ରମିତ ହୋଇଥିଲେ। ରୋଗୀର ନାକରେ ଥିବା ଏଣ୍ଡୋସ୍କୋପି ଟର୍ବାଇନେଟରେ କଳା ଜମା ଦେଖାଇଥିଲା। ଚିକିତ୍ସା କରୁଥିବା ENT ବିଶେଷଜ୍ଞ ଡକ୍ଟର ରାଧାମାଧବ ସାହୁ ଏହି ସୂଚନା ଦେଇଛନ୍ତି।
ଏହି ବ୍ଲାକ ଫଙ୍ଗସ ସାଧାରଣତଃ ଜୈବିକ ପଦାର୍ଥ, ମୃତ୍ତିକା, କମ୍ପୋଷ୍ଟରେ ଦେଖିବାକୁ ମିଳିଥାଏ। ବିଶେଷକରି ଏକ ଓଦା ପରିବେଶରେ ତିଆରି ହୁଏ।ସଚିବ ମହାପାତ୍ର କହିଛନ୍ତି ଯେ, ପରିସ୍ଥିତି ଉପରେ ନଜର ରଖାଯାଉଛି ଏବଂ ବ୍ଲାକ ଫଙ୍ଗସ ରୋଗର ଚିକିତ୍ସା ଉପଲବ୍ଧ ରହିଛି।
ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦ୍ୱିତୀୟ ଲହରରେ କୋଭିଡ ଆକ୍ରାନ୍ତ ଗୁରୁତର ହେବାରେ ଲାଗିଛନ୍ତି। ଅନେକ ରୋଗୀଙ୍କୁ ଷ୍ଟିରଏଡ ଜରିଆରେ ଆରୋଗ୍ୟ କରାଯାଉଛି। ଷ୍ଟିରଏଡର ମାତ୍ରା ଅଧିକ ହେବାରୁ ରୋଗୀ ‘ମ୍ୟୁକୋମାଇକୋସିସ୍’ ଅର୍ଥାତ୍ ‘ବ୍ଲାକ୍ ଫଙ୍ଗସ୍’ ନାମକ ରୋଗରେ ପୀଡିତ ଥିଲେ। ଏହା ନାକରୁ ଆରମ୍ଭ ହୋଇ ଆଖି ଏବଂ ମସ୍ତିଷ୍କକୁ ବ୍ୟାପିଥାଏ। ମୁମ୍ବାଇରେ ବିଏମସିର ବଡ ଡାକ୍ତରଖାନା ‘ସିଓନ୍’ ଗତ ଦେଢ଼ ମାସ ମଧ୍ୟରେ 30 ଜଣ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଦେଖିବାକୁ ମିଳିଛି।
ଯେଉଁଥିରେ 6 ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 11 ଜଣ ରୋଗୀଙ୍କୁ ଗୋଟିଏ ଆଖି ବାହାର କରିବାକୁ ପଡ଼ିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଫଙ୍ଗସ୍ ନାକରେ 2-3 ଦିନ ରହିଥାଏ ଏବଂ ତା’ପରେ ଆଖି ଆଡକୁ ଗତି କରେ। ଏପରି ସ୍ଥିତିରେ, ଯଦି ଆପଣଙ୍କ ନାକରୁ ରକ୍ତସ୍ରାବ ହୋଇଛି କିମ୍ବା ଦେଖିବାରେ ସାମାନ୍ୟ ସମସ୍ୟା ଅଛି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ। କୋଭିଡ ପରେ ବ୍ଲାକ ଫଙ୍ଗସ୍ ସଂକ୍ରମଣର ଯୁଦ୍ଧ ଆହୁରି ମାରାତ୍ମକ ବୋଲି କହିଛନ୍ତି। ଗୁଜୁରାଟ ଓ ମହାରାଷ୍ଟ୍ରରରେ ଆତଙ୍କ ଖେଳାଇଛି କରୋନା ପରବର୍ତ୍ତୀ ଲକ୍ଷଣ। ଯାହାକି ରୋଗୀଙ୍କୁ ଅନ୍ଧ କରୁଛି।