ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ ଦାସ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଅଧିକ ପଚରାଉଚରା କରିବା ପାଇଁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ବ୍ରଜରାଜନଗର ଜେଏମ୍ଏଫ୍ସି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ହେଲେ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କରିଛନ୍ତି।
ଅଭିଯୁକ୍ତକୁ କ୍ରାଇମବ୍ରାଞ୍ଚ ଏବେ ୪ ଦିନିଆ ରିମାଣ୍ଡରେ ନେଇଛି। ପଚରାଉଚରା କରିବା ବେଳେ କାହିଁକି ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ ସେ ନେଇ ସୂଚନା ମିଳିବ ବୋଲି କ୍ରାଇମବ୍ରାଞ୍ଚ ଆଶା ରଖିଛି। FARO ୩-D ସ୍କାନର ଜରିଆରେ ସାଇଣ୍ଟିଫିକ୍ ଅଫିସର ଓ ବାଲାଷ୍ଟିକ୍ ଏକ୍ସପର୍ଟଙ୍କ ସହାୟତାରେ ଗାଡି ଓ କ୍ରାଇମ୍ ସ୍ପଟ୍ ଯାଞ୍ଚ କରାଯାଉଛି।
ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ କ୍ରାଇମସ୍ପଟରେ ଉପସ୍ଥିତ ଥିବା ସ୍ୱର୍ଗତ ନେତାଙ୍କ ସମର୍ଥକଙ୍କ ସମେତ ସାକ୍ଷୀମାନଙ୍କୁ ପଚରାଉଚରା କରୁଛନ୍ତି। ଜଣେ ଡିଏସପିଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଏବଂ କର୍ମଚାରୀମାନେ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଚିକିତ୍ସା ଏବଂ ଆର୍ଥିକ ନେଣଦେଣର ଯାଞ୍ଚ କରୁଛନ୍ତି। ଅଭିଯୁକ୍ତଙ୍କ ପୈତୃକ ଗାଁରେ ଟିମ୍ ପକ୍ଷରୁ ପଡ଼ୋଶୀ ଓ ଗ୍ରାମବାସୀଙ୍କ ଯାଞ୍ଚ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।