ଆନ୍ଦୋଳନରତ ଓକିଲଙ୍କ ଲାଇସେନ୍ସ ବାତିଲ୍ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି କରି ଆନ୍ଦୋଳନରେ ବସିଥିବା ଓକିଲଙ୍କ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଦେଶ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୋମବାର ସୁପ୍ରିମକୋର୍ଟ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବାକୁ ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ। ହେଲେ ଓକିଲମାନେ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ କରୁଥିଲେ। ପରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୟ କିଷାନ କୌଲ୍ କହିଛନ୍ତି, କୋର୍ଟକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ଛଡ଼ା ଅନ୍ୟ ଉପାୟ ନାହିଁ । ଏଥିପାଇଁ ଜଷ୍ଟିସ୍ କୌଲ୍ ପୋଲିସ ସୁରକ୍ଷା ମାଗିଛନ୍ତି । କୋର୍ଟ କାର୍ଯ୍ୟ ଯେଭଳି ବାଧାପ୍ରାପ୍ତ ନ ହେବ ସେଥିପ୍ରତି ଧ୍ୟାନ ଦେଇ ପୋଲିସ ବ୍ୟବସ୍ଥା କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।
କୋର୍ଟ କହିଛନ୍ତି,ପ୍ରତି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ସମ୍ଭବ ନୁହେଁ। ପ୍ରାୟ ସବୁ ଜିଲ୍ଲାରେ ଏତେ ସଂଖ୍ୟକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ମାନବିକତା ଦୃଷ୍ଟିରୁ ସମ୍ଭବ ନୁହେଁ। ଏହା ବ୍ୟବହାରିକ ଓ ଭିତ୍ତିଭୂମି ଦୃଷ୍ଟିରୁ ସମ୍ଭବ ନୁହେଁ। ଏହା ବିଚକ୍ଷଣତାର ପରିଚୟ ନୁହେଁ। ବିହାର ଏକ ବଡ଼ ରାଜ୍ୟ, କିନ୍ତୁ ପାଟନାରେ ଗୋଟିଏ ହାଇକୋର୍ଟ ରହିଛି ବୋଲି ଶୁଣାଣି ବେଳେ ବିଚାରପତି କହିଥିଲେ।
ସୂଚନାଯୋଗ୍ୟ, ସମ୍ବଲପୁରରେ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘ ଦିନରୁ ଜୋର ଧରିଛି।
ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଥିଲେ ମଧ୍ୟ ଓଡ଼ିଶା ସରକାର ଏ ଦିଗରେ କୌଣସି ଗଠନମୂଳକ ପଦକ୍ଷେପ ନେଉନାହାନ୍ତି ବୋଲି ଆଇନଜୀବୀମାନେ ଅଭିଯୋଗ କରିଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିଲେ।