ବ୍ରଜରାଜନଗର ଉପନିର୍ବାଚନରେ ଦଳ ଚାହିଁଲେ ପ୍ରାର୍ଥୀ ହେବି: କିଶୋରଙ୍କ ପତ୍ନୀ
ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ କିଏ ହେବେ ବିଧାୟକ ପ୍ରାର୍ଥୀ ସେ ନେଇ ନିର୍ବାଚନ ମଣ୍ଡଳୀରେ ଅଙ୍କକଷା ଆରମ୍ଭ ହୋଇଛି । ବିରୋଧୀ ଯେତେଟା ସକ୍ରିୟ ତାଠୁ ଅଧିକ ସକ୍ରିୟ ହୋଇଛନ୍ତି ବିଜେଡିର ଦୁଇ ଗୋଷ୍ଠୀ । କାରଣ ଦଳରେ ରହିଛନ୍ତି ଅନେକ ଆଶାୟୀ ।
ଏହାରି ଭିତରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦଳ ଚାହିଁଲେ ମୁଁ ଉପନିର୍ବାଚନ ଲଢିବି । ଅଳକାଙ୍କ ବୟାନ ସେତେବେଳେ ଆସିଛି ଯେତେବେଳେ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ କିଛି ଦଳୀୟ ସମର୍ଥକ ଦାବି କରିଛନ୍ତି । ଲଖନପୁରରେ ଏକ ଆମ୍ବୁଲାନ୍ସ ସେବାର ଉଦଘାଟନ ବେଳେ ମନ୍ତ୍ରୀଙ୍କ ସମର୍ଥକ ଦୀପାଳିଙ୍କୁ ବିଧାୟକ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ଟିକେଟ ପାଇବା ପାଇଁ ବିଜେଡିରେ ଛକାପଞ୍ଝା ଲାଗି ରହିଛି ବୋଲି ଜଣାପଡିଥିଲା।
କିଶୋରଙ୍କ ଦେହାନ୍ତ ପରେ ନିକଟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ଅଳକା ମଧ୍ୟ ଦଳ ପାଇଁ ପ୍ରଚାର କରୁଥିଲେ। ପୂର୍ବରୁ ବିଜେଡିର ଅନେକ ବିଧାୟକଙ୍କର ଦେହାନ୍ତ ହୋଇଛି। ଏହାପରେ ଦିବଂଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଦଳ ଟିକେଟ ଦେଇଛି । ତେଣୁ ଏହି ଆଧାରରେ କିଶୋରଙ୍କ ପରିବାର ବ୍ରଜରାଜନଗର ଆସନ ପାଇଁ ଟିକେଟ ପାଇବେ ବୋଲି ଆଶାରଖିଛନ୍ତି।